ଶ୍ରୀମନ୍ଦିର ସମସ୍ତ ଦ୍ୱାରଦେଇ ଯିବାକୁ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି

0 66

ପୁରୀ,୨୬/୧୦- ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହି ମର୍ମ ରେ ଏକ ସ୍ମାରକପତ୍ର ପୋଲିସ ଡିଜିଙ୍କୁ ପୁରୀ ଏସପିଙ୍କ ଜରିଆରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି । ଶ୍ରୀଜଗନ୍ନାଥ ସେନା କହିଛି ଯେ ପୁରୀ ବାସିନ୍ଦାଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରି ନିତିଦିନିଆ କାର୍ଯ୍ୟ କରନ୍ତି ପୁରୀ ସହରବାସୀ । ହେଲେ ପ୍ରଶାସନ ପକ୍ଷରୁ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ନିୟମ ପରେ ପୁରୀ ବାସିନ୍ଦା ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି । ପୁରୀ ବାହାରୁ ଆସୁଥିବା ଯାତ୍ରୀଙ୍କ ସହ ଲାଇନରେ ଠିଆହୋଇ ଦୀର୍ଘ ସମୟ ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି । ସେହିପରି ମହାପ୍ରସାଦ ଟିକେ ଆଣିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଚି । ବୁଢ଼ାବୁଢୀ ମାନେ ଲାଇନରେ ଠିଆ ହୋଇପାରୁନାହାଁନ୍ତି । ଫଳରେ ବୟସ୍କ ଲୋକମାନେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି । ଶ୍ରୀମନ୍ଦିର ହେଉଛି ପୁରୀ ବାସିନ୍ଦାଙ୍କ ଗାଁରେ ଥିବା ମନ୍ଦିର ଭଳି । ନିଜ ଗାଁ ମନ୍ଦିରକୁ କଣ ଯିବାପାଇଁ ପୁରୀ ବାସିନ୍ଦାଙ୍କୁ ଅନ୍ୟ ଯାତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି । ପୂର୍ବରୁ ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ ପୁରୀ ବାସିନ୍ଦା ଆଧାର କାର୍ଡ କିମ୍ବା ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ । ଯାହାକି ପ୍ରଶାସନ ବନ୍ଦ କରିଦେଇଛି । ଏହି ନିୟମ ଲାଗୁନେଇ ଗତ ୨୦୧୮ ଅକ୍ଟୋବର ୩ରେ ପୁରୀରେ ହିଂସାକାଣ୍ଡ ଘଟିଥିଲା । ପରେ ସରକାର ପୁରୀ ବାସିନ୍ଦାଙ୍କ ପାଇଁ ନିୟମ ବଦଳାଇ ସମସ୍ତ ଦ୍ୱାରରେ ପ୍ରବେଶ ଅନୁମତି ଦେଲେ । ହେଲେ ପୁଣି ସରକାର କଟକଣା ଲାଗୁକରିବା ପରେ ପୁରୀ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯଦି ସରକାର ପୁରୀବାସୀଙ୍କୁ ଶ୍ରୀମନ୍ଦିରର ସମସ୍ତ ଦ୍ୱାରରେ ପ୍ରବେଶ ଅନୁମତି ନଦିଅନ୍ତି ଶ୍ରୀଜଗନ୍ନାଥ ସେନା ବାଧ୍ୟହୋଇ ନଭେମ୍ବର ମାସରେ ପୁରୀ ବନ୍ଦ ଡାକରା ଦେବ । ସେତେବେଳେ ଯେଉଁସ୍ଥିତି ଉପୁଜିବ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

3 × four =