ବୌଦ୍ଧ,୨୮ା୧୦ : ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ପଙ୍କୁଆଳ ଗ୍ରାମର ଧୁବେଇ ଷାଣ୍ଢଙ୍କ ପୁତ୍ର ନିଳମଣି ଷାଣ୍ଢ(୫୧) ମାନସିକ ବିକୃତ ହୋଇ ଘରୁ ଚାଲିଆସିଥିଲେ । ଦୀର୍ଘ ୭ ଦିନ ହେଲା ନିଳମଣି ଅସହାୟ ଅବସ୍ଥାରେ ବୌଦ୍ଧ ପୂର୍ତ୍ତବିଭାଗ ବଙ୍ଗଳା ନିକଟସ୍ଥ ଗେହ୍ଲା ମା ମନ୍ଦିର ସମ୍ମୁଖରେ ପଡି ରହିଥିଲେ । ମନ୍ଦିର ନିକଟରେ ରହୁଥିବା ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ସ୍ୱାଧୀନ ରାୟ, ରଘୁନାଥ ସ୍ୱାଇଁଙ୍କ ପରିବାର ନିଳମଣିଙ୍କୁ ଖାଦ୍ୟ ଦେବା ସହିତ ତାଙ୍କର ଦେଖାଶୁଣା କରୁଥିଲେ । କିନ୍ତୁ ନିଳମଣି ନିଜ ଘରକୁ ନଫେରିବା ଓ ଅସହାୟ ଅବସ୍ଥାରେ ଶୀତ କାକରରେ ପଡି ରହିଥିବାରୁ ସାମ୍ବାଦିକ ଶ୍ରୀ ଦାଶ ଏ ସଂପର୍କରେ ପ୍ରଶାସନକୁ ଜଣାଇବାପରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଆଶ୍ରୟ ଅନୁଷ୍ଠାନର ମୁଖ୍ୟ କୃପାସିନ୍ଧୁ ଷଡଙ୍ଗୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଏ ସଂପର୍କରେ ସୂଚନା ପାଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ମଧ୍ୟ ସେଠାରେ ପହଞ୍ଚିଥିଲେ । ମନ୍ଦିର ପରିସରରୁ ନିଳମଣିଙ୍କୁ ଉଦ୍ଧାର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଦ୍ୱାରା ପରିଚାଳିତ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିବା ଜଣାପଡିଛି ।