ସମ୍ବଲପୁର: ସମ୍ବଲପୁର ଜିଲ୍ଲାକୁ ସାରା ଦେଶରେ ଦୀର୍ଘ ଦଶନ୍ଧି ଧରି କୁଚିଣ୍ଡା ଉପଖଣ୍ଡର ଲଙ୍କା ଓ ଲିଚୁ ଚାଷ ସ୍ୱତନ୍ତ୍ର ପରିଚୟ ଦେଇ ଆସିଛି । ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦୀର୍ଘ ଦିନରୁ ଦାବି ହୋଇଆସିଛି । ହେଲେ ବର୍ତ୍ତମାନ ପ୍ରଶାସନ ଏ ଦିଗରେ ଅଣ୍ଟା ଭିଡିଛି । ଆଉ ଏ ନେଇ ପ୍ରକି୍ରୟା ଆରମ୍ଭ କରିଛି । ଓରମାସ ଏବଂ ମିଶନ ଶକ୍ତି ପକ୍ଷରୁ ମିଳିତ ଭାବେ ଆୟୋଜିତ କର୍ମଶାଳାରେ ଏ ନେଇ ରୂପରେଖ ଚୂଡାନ୍ତ ହୋଇଛି । କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କର୍ମଶାଳାରେ ଭୁବନେଶ୍ୱରରୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଏବଂ କାରିଗରୀ ବିଭାଗର ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।
ଜିଆଇ ଟ୍ୟାଗ ପାଇଁ ପଞ୍ଜୀକରଣ ସକାଶେ ଆବଶ୍ୟକ ପ୍ରକି୍ରୟା ନେଇ ଆଲୋଚନା ହୋଇଥିଲା । ୫୦ ବର୍ଷ ପୂର୍ବରୁ ଯେଉଁ କିସମର ଲଙ୍କା ଚାଷ ହୋଇଥିଲା, ତାହାକୁ ପଞ୍ଜୀକରଣ କରିବାକୁ ସ୍ଥିର ହୋଇଥିଲା । ଏହି କିସମର ଲଙ୍କାକୁ ଗୁଣ୍ଡ କରିବା ଦ୍ୱାରା ଅଧିକ ଚମକ ଆସିବା ସହ ପ୍ରବଳ ରାଗ ହୋଇଥାଏ ଏହାର ନିଆରା ରାଗ ଏବଂ ଆକାର ଯୋଗୁଁ ସ୍ୱତନ୍ତ୍ରତା ରଖିଆସିଛି ।