ସମ୍ବଲପୁର: ସମ୍ବଲପୁରୀ ଭାଷାରେ ଗୀତ ରଚନା ପାଇଁ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ଏହାଦ୍ୱାରା ସମ୍ବଲପୁରୀ ଭାଷା ସାହିତ୍ୟର ସମ୍ମାନ ବୃଦ୍ଧି ହୋଇଛି । ରାଷ୍ଟ୍ରପତି ଭବନରେ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟମାନଙ୍କ ସହିତ ଏହି ସମ୍ମାନ ପ୍ରଦାନ କରିଛନ୍ତି । ବିଶ୍ୱପ୍ରସିଦ୍ଧ ରଙ୍ଗବତୀ ଗୀତ ରଚନାକରି ମିତ୍ରଭାନୁ ଏହି ସମ୍ମାନ ଲାଭ କରିଛନ୍ତି । ଏହି ସଫଳତା ପାଇଁ ସେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କୁ ଶ୍ରେୟ ଓ ଧନ୍ୟବାଦ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ମାଁଙ୍କ କରୁଣା ବିନା ଏହା କଦାପି ସମ୍ଭବ ନ ଥିଲା ଓ ମାଁ ସମଲେଈ ନିଜେ ତାଙ୍କ କଲମ ଜରିଆରେ ତାଙ୍କ ପାଇଁ ଏହି ରଚନା କରେଇଛନ୍ତି । ମାଁଙ୍କ ଏହି କରୁଣାରୁ ତାଙ୍କ ପରି ଜଣେ ଅତି ସାଧାରଣ ମଣିଷ ଆଜି ଏହି ବିଶ୍ୱ ପ୍ରସିଦ୍ଧ ଗୀତ ରଚନା କରି ସୁନାମ ଅର୍ଜନ କରିପାରିଛି । ଏହି ରଙ୍ଗବତୀ ଗୀତର ସଫଳତାରୁ ଅନୁପ୍ରାଣିତ ହୋଇ ସେ ବହୁପୂର୍ବରୁ ତାଙ୍କ ମାଁ ମାଟିର ଗାଁ ବିଲୁଙ୍ଗକୁ ରଙ୍ଗବତୀ ବିଲୁଙ୍ଗ ନାଁରେ ନାମିତ କରିଛନ୍ତି । ମିତ୍ରଭାନୁ ଙ୍କ ଏହି ସଫଳତାରେ ତାଙ୍କ ଗାଁ ସହିତ ସମଗ୍ର କୁଚିଣ୍ଡା ଉପଖଣ୍ଡ ବର୍ତ୍ତମାନ ଉତ୍ସବ ମୁଖରିତ । ତାଙ୍କ ହାର୍ଦ୍ଦିକ ଇଚ୍ଛା କି ସମ୍ବଲପୁରୀ ଭାଷାକୁ ଶୀଘ୍ର ଭାରତୀୟ ସମ୍ବିଧାନର ମାନ୍ୟତା ମିଳୁ, ଯେଉଁଥି ପାଇଁ ପ୍ରସ୍ତାବ ବହୁ ଦିନରୁ ବାକି ପଡ଼ି ରହିଛି । ଏହା ଫଳରେ ସମଗ୍ର ପଶ୍ଚିମାଞ୍ଚଳ ସହିତ ଓଡ଼ିଶାର ଭାଷା ସାହିତ୍ୟର ସମ୍ମାନ ବୃଦ୍ଧି ହୋଇଛି ।