ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଶମ୍ଭୁ ପୂଜାରୀଙ୍କ ପାଞ୍ଚମାସ ହେବ ମିଳୁନି ପତ୍ତା

0 129

ବାଲିଗୁଡା,୧୩/୧୧: କନ୍ଧମାଳରେ ସରୁନି ଦାଦନଙ୍କ ଦୁଃଖ । ଶିଳ୍ପବିହୀନ କନ୍ଧମାଳ ଜ଼ିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ ଚେନ୍ନାଇ ବେଙ୍ଗଲୁର, କେରଳକୁ ଦାଦନ ଖଟିବାକୁ ଯାଇ କାହାର ଶବ ଫେରୁଛି ତ ଆଉ କିଏ ଶାରିରୀକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି ଏପରିକି ନାବାଳିକା ମହିଳା ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି । ସଚେତନତା ଅଭାବରୁ ହେଉ ଅବା ପ୍ରଶାସନ କାମଧନ୍ଦା ଯୋଗାଇ ଦେବାରେ ଅକ୍ଷମଯୋଗୁଁ ଦଲାଲ ମାନେ ସକ୍ରିୟ ହେଉଛନ୍ତି । ଅଧିକ ଟଙ୍କାର ଆଶା ଦେଖାଇ ପ୍ରଲୋଭିତ କରି ଚାଲାଣ କରାଯାଇ ଅକଥନୀୟ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହେଉଛି । ଏହିଭଳି ଏକ ଘଟଣା ସାମନାକୁ ଆସିଛି ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିର ସୋମନାଥ ପୂଜାରୀ ଓରଫ ଶମ୍ଭୁ ପୂଜାରୀ ନାମକ ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ଦୀର୍ଘ ପାଞ୍ଚମାସ ହେବ ନିଖୋଜ ହୋଇଛି । ତାଙ୍କରି କୌଣସି ସନ୍ଧାନ ମିଳୁନି । ମିଳିଥିବା ସୂଚନା ପ୍ରକାରେ ଗତ ତା ୧/୭/୨୦୨୧ରିଖ ଦିନ ସେହି ସାହିର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ଅଧିକା ରୋଜଗାରର ସ୍ୱପ୍ନ ଦେଖାଇ ଆନ୍ଧ୍ର ପ୍ରଦେଶକୁ ନେଇଯାଇଥିଲା ପୁଣି ଦୁଇ ଦିନପରେ ତୁମ ସ୍ୱାମୀ ଗାଁ କୁ ଫେରୁଥିବା ବେଳେ ଗୁଣ୍ଡୁର ରେଳଷ୍ଟେସନରେ ନିଖୋଜ ହୋଇଛି ବୋଲି ଖବର ଦେଇଥିଲା । ପରିବାର ଲୋକେ ସନ୍ତୋଷକୁ ଶମ୍ଭୁଙ୍କୁୁ ଖୋଜି ଆଣିଦିଅ ବୋଲି କହିଥିଲେ କିନ୍ତୁ ଦଲାଲ ସନ୍ତୋଷ ମଙ୍ଗରାଜ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହେଉଛି । ପରିବାର ଲୋକେ ହତ୍ୟା କରାଯାଇ ଫିଙ୍ଗି ଦେଇଥିବା ନେଇ ମଧ୍ୟ ସନ୍ଦେହ କରୁଛନ୍ତି ଏନେଇ ଶମ୍ଭୁ ପୂଜାରୀଙ୍କ ସ୍ତ୍ରୀ ସବିତା ପୂଜାରୀ ବାଲିଗୁଡା ଥାନାରେ ଏତେଲା ଦେଇଛନ୍ତି । ପୋଲିସ ତଦନ୍ତରେ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କୁ ପଚାରିବାରୁ ପ୍ରତିକ୍ରିୟାରେ କହିଛନ୍ତି ଯେ ନିଖୋଜ ବ୍ୟକ୍ତି ଫୋନ ଧରୁନଥିବାରୁ ସମସ୍ୟା ସୃଷ୍ଟି ହୋଇଛି ଉକ୍ତ ଘଟଣାର ତଦନ୍ତ ଚାଲିଛି ସନ୍ତୋଷ ମଙ୍ଗରାଜକୁ ଡାକି ପଚରା ଉଚରା କରାଯାଇ ଖୁବ ଶୀଘ୍ର ଉଦ୍ଧାରପାଇଁ ପ୍ରୟାସ କରାଯିବ । ଏପଟେ ଶମ୍ଭୁ ପରିବାରର ଜଣେମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବାରେ ମୁସ୍କିଲ ହୋଇପଡିଛି । ଭୋକ ଉପବାସରେ ପରିବାର ଲୋକେ ଶମ୍ଭୁଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

hiranchal ad1
Leave A Reply

Your email address will not be published.

nine + ten =