ପୁରୀ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା ଡିସେମ୍ବର ୨୨ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୨୨ ତାରିଖରୁ ପ୍ରଥମେ ପିପିଲି ଓ ନିମାପଡା ବ୍ଲକ ଏବଂ ଜାନୁୟାରୀ ୨ ତାରିଖରୁ ଅନ୍ୟ ବ୍ଲକ ଗୁଡିକ ନିମନ୍ତେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଧାନ ସଂଗ୍ରହ ନିମନ୍ତେ ୧୧ଟି ବ୍ଲକର ୧୯୧ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜିକରଣ କରିଥିବା ବେଳେ ୧୮୪ଟି ସମିତିର ପଞ୍ଜିକରଣ ବୈଧ ରହିଛି । ସେହିଭଳି ଧାନ ବିକ୍ରୟ ନିମନ୍ତେ ୪୭ ହଜାର ୧୧୯ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୪୬ ହଜାର ୧୩୦ ଜଣଙ୍କ ପଞ୍ଜିକରଣ ବୈଧ ରହିଛି । ଚଳିତ ଖରିଫ ଋତୁ ନିମନ୍ତେ ୬୬ ହଜାର ମେଟ୍ରିକ ଟନ ଚାଉଳ ଓ ୯୭ ହଜାର ମେଟ୍ରିକ୍ ଟନ ଧାନ ସଂଗ୍ରହ କରିବା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ସାଧାରଣ କିସମ ଧାନ ପାଇଁ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ଓ ଗ୍ରେଡ ଏ ଧାନ ପାଇଁ ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହ ନିମନ୍ତେ ସ୍ୱଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିନିମନ୍ତେ ସଂପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ବର୍ମା କହିଛନ୍ତି । କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ୱରେ ଥିବା ୮ଟି ସମବାୟ ନିମନ୍ତେ ଧାନ ସଂଗ୍ରହ ପାଇଁ ଅନ୍ୟ ଜିଲ୍ଲାର ମିଲରମାନଙ୍କୁ ନିଯୁକ୍ତ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଯୋଗାଣ ଅଧିକାରୀ ସୁବୋଧ ହୋତା, ଅତିରିକ୍ତ ଯୋଗାଣ ଅଧିକାରୀ ବସନ୍ତ ପଣ୍ଡା, ସମବାୟ ସମିତି ସମୂହ ଉପ ନିବନ୍ଧକ ଭୀମସେନ ସାହୁ, ନିୟନ୍ତ୍ରିତ ବଜାର କମିଟି ସଂପାଦକ, ମିଲର, ଚାଷୀ ପ୍ରତିନିଧି ପମୁଖ ଉପସ୍ଥିତ ଥିଲେ ।
