ପୁରୀ : ଜାତୀୟ ପ୍ରେସ ଦିବସ ସ୍ଥାନୀୟ ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ “ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ’ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗଣମାଧ୍ୟମର ସକ୍ରିୟତା ଦ୍ୱାରା ଅନେକ ଆବଶ୍ୟକୀୟ ତଥ୍ୟ ହସ୍ତଗତ ହେବା ସହ ସମାଜର ହିତ ସାଧିତ ହୋଇଥାଏ ।
ତଥ୍ୟ ଭିତ୍ତିକ ଖବର ପ୍ରକାଶନ ଓ ପ୍ରସାରଣ ଅନେକ ସମୟରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିମନ୍ତେ ଉପାଦେୟ ସାବ୍ୟସ୍ତ ହୋଇଥାଏ । କରୋନା ମହାମରୀ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରିବା ତଥା ପ୍ରତି ମୁହୂର୍ତ୍ତର ଖବର ଦେବା ସାମ୍ବାଦିକତାର ଗାରିମା ବୃଦ୍ଧି କରିଥିବାର ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ କରୋନା ମହାମାରୀରେ ପ୍ରାଣ ହରେଇଥିବା ସାମ୍ବାଦିକମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକ, ସୁକାନ୍ତ ପଣ୍ଡା ଓ ନିରଞ୍ଜନ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗନେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।