କଣ୍ଟାମାଳ ୧୬/୧୧- କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କବ୍ଜାର ଉପ ସଭାପତି ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ସାମ୍ବାଦିକ ରଞ୍ଜନକୁମାର ପାତ୍ର, ବଂଶୀଧର ମାଝୀ, ଦେବାଶୀଷ ମଲିକ ପ୍ରମୁଖ ସାମ୍ବାଦିକମାନେ ଗଠନମୂଳକ ସମ୍ବାଦ ପରିବେଷଣ କରି ଦେଶର ବିକାଶ ଧାରାରେ ସାମିଲ ହେବା ସହିତ କାମଳ ସାମ୍ବାଦିକତାରୁ ନିଜକୁ ଦୂରେଇ ରଖିବା ନେଇ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ସାମ୍ବାଦିକ ମାନଙ୍କ ସୁରକ୍ଷା ବର୍ତ୍ତମାନ ପରିସ୍ଥିତିରେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଯତ୍ନଶୀଳ ନୁହଁନ୍ତି ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇବା ସହ ସୁରକ୍ଷା ନେଇ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ମତପ୍ରକାଶ ପାଇଥିଲା । ସେହିପରି ସହରାଞ୍ଚଳ ସାମ୍ବାଦିକ ମାନଙ୍କ ଅପେକ୍ଷା ଗ୍ରାମାଞ୍ଚଳ ସାମ୍ବାଦିକ ବିଶେଷଭାବେ ଅବହେଳିତ ସମ୍ବାଦ ସଂଗ୍ରହ ଠାରୁ ପ୍ରେରଣ ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସେମାନେ ବହୁ କଷ୍ଟ ସ୍ୱୀକାର କରିଥାନ୍ତି ମାତ୍ର ସରକାରଙ୍କ ଦ୍ୱାରା ଏମାନେ ସର୍ବଦା ଉପେକ୍ଷିତ ବୋଲି ଉଦବେଗ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ବୈଜନ୍ତୀ ବାଗ, ବଳରାମ ବାଘ, ସୁଦର୍ଶନ ବଘାର, ଅକୃର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।