ବୌଦ୍ଧ,୧୭/୧୧- ବୌଦ୍ଧଜିଲ୍ଲା କଂଗ୍ରେସ ତରଫରୁ ଗତ ୧୫ ତାରିଖରୁ ଦିଆଯାଇଥିବା ଅହୋରାତ୍ର ଗଣଧାରଣା ଆଜି ସମାପ୍ତ ହୋଇଛି । ବୌଦ୍ଧଗଡ ଏନଏସିକୁ ମ୍ୟୁନିସିପାଲଟି କରିବା, କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ମାନ୍ୟତା ଦେବା ଏବଂ ବୌଦ୍ଧକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତରେ ସାମିଲ କରିବା ଦାବିରେ ଗତ ୩ଦିନ ଧରି ଜିଲ୍ଲା କଂଗ୍ରେସ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯାଇଥିଲା । ଏ ନେଇ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଛି । ଧାରଣାପରେ ଆଜି ସନ୍ଧ୍ୟାରେ ଧାରଣା ସ୍ଥଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଆଗାମୀ ଦିନରେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଶ୍ରୀ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଚଳିତମାସ ୨୧ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୯ଦିନ ପାଇଁ ସମଗ୍ର ଜିଲ୍ଲାରେ ଜନଜାଗରଣ ଅଭିଯାନ ଚାଲିବ । ଏହି ଅଭିଯାନରେ ଜିଲ୍ଲାର ସମସ୍ତ ୯ଟି ଜିଲ୍ଲା ପରିଷଦ ଜୋନ୍ରେ ପ୍ରତିଦିନ ଦଳ ତରଫରୁ ପଦଯାତ୍ରା କରାଯାଇ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଏସବୁ ଦାବି ସଂପର୍କରେ ସଚେତନ କରାଯିବ । ଏହି ଅଭିଯାନ ନିମନ୍ତେ ପ୍ରତ୍ୟେକ ଜୋନ୍ ପାଇଁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଏହାସହିତ ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନକ୍ରମେ ଜିଲ୍ଲା କଂଗ୍ରେସର ମୁଖ୍ୟ ପ୍ରବକ୍ତା ଭାବେ ଶାନ୍ତନୁ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ତାଙ୍କୁ ସହଯୋଗ କରିବାପାଇଁ ଉଦୟନାଥ ଶର୍ମା, ପ୍ରଦେଶୀ ବେହେରା, ପ୍ରଶାନ୍ତ କୁମାର ମିଶ୍ର ଏବଂ ପ୍ରତାପ ପଣ୍ଡାଙ୍କୁ ସହଯୋଗୀ ପ୍ରବକ୍ତା ଭାବେ ନିଯୁକ୍ତି ଦିଆଯାଇଛି । ଏହି ୩ ଦିନିଆ ଅହୋରାତ୍ର ଗଣଧାରଣାରେ ଜିଲ୍ଲା କଂଗ୍ରେସର ଉପସଭାପତି ସୋମରେଶ ମିଶ୍ର, ସଂପାଦକ ଅର୍ଜୁନ ମହାନନ୍ଦିଆ, କଣ୍ଟାମାଳ ନିର୍ବାଚନମଣ୍ଡଳୀ ଏମଏଲଏ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ପଙ୍କଜ କର୍ଣ୍ଣ, ହାସନ ଖାନ, ଶିବଚରଣ ବେହେରା, ପ୍ରଦୀପ ଦାଶ, ଗଣେଶ ଅଗ୍ରୱାଲାଙ୍କ ସମେତ ବହୁ ନେତା କର୍ମୀ, ମହିଳା କର୍ମୀ ଧାରଣାରେ ଅଂଶଗ୍ରହଣ କରିଥିଲେ ।