ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ, ଭାରତ ଜିତିଲା ପ୍ରଥମ ଟି-୨୦

0 85

ଜୟପୁର: ବିଶ୍ୱକପର ବଦଲା ନେଲା ଟିମ୍‌ ଇଣ୍ଡିଆ । ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ରୋମାଞ୍ଚକର ଭାବେ ନ୍ୟୁଜିଲାଣ୍ଡକୁ ୫ ଉଇକେଟ ହରାଇଛି ଭାରତ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଙ୍କ ଧୁଆଁଧାରୀ ଇନିଂସ ବଳରେ ଭାରତ ନୁଜିଲାଣ୍ଡର ୧୬୪ରନ ଟାର୍ଗେଟକୁ ୧୯.୪ ବଲରେ ହାସଲ କରିଥିଲା । ଭାରତ ପକ୍ଷରୁ ଯାଦବ ସର୍ବାଧିକ ୪୦ ବଲରେ ୬୨ ରନ କରିଥିବା ବେଳେ ରୋହିତ ୩୬ ବଲରେ ୪୮ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଏଲ ରାହୁଲ ୧୫ ରନ କରିଥିବା ବେଳେ ପନ୍ତ ୧୭ ରନ କରିଥିଲେ । ଟସ୍‌ ହାରି ପ୍ରଥମ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ମାର୍ଟିନ୍‌ ଗପ୍ଟିଲ୍‌ ଓ ମାର୍କ ଚାପମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତରେ ୬ ୱିକେଟ୍‌ ହରାଇ ୧୬୪ ରନ କରିଛି । ଏଥିସହ କିୱି ଟିମ୍‌ ଭାରତ ଆଗରେ ୧୬୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍‌ ଛିଡା କରିଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଗପ୍ଟିଲ ୭୦ ଓ ଚାପମ୍ୟାନ୍‌ ୬୩ ରନର ଇନିଂସ୍‌ ଖେଳିଥିଲେ ।
ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍‌ ରୋହିତ୍‌ ଶର୍ମା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଓଭରର ତୃତୀୟ ବଲରେ ଭୁବନେଶ୍ୱର କୁମାର ନ୍ୟୁଜିଲ୍ୟାଣ୍ଡର ଇନଫର୍ମ ଓପ୍ନର ଡାରିଏଲ୍‌ ମିଚେଲ (୦)ଙ୍କୁ କ୍ଲିନ୍‌ ବୋଲ୍ଡ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ । ଏହା ପରେ ଗପ୍ଟିଲଙ୍କ ସାଥ୍‌ ଦେବାକୁ ଆସିଥିଲେ ମାର୍କ ଚାପମ୍ୟାନ୍‌ । ଦୁହେଁ ଦୃଢତାର ସହ ଭାରତୀୟ ବୋଲିଂ ଆଟାକକୁ ସାମ୍ନା କରିଥିଲେ ।
ଗପ୍ଟିଲ ଓ ଚାପମ୍ୟାନ୍‌ ଦ୍ୱିତୀୟ ୱିକେଟ୍‌ ପାଇଁ ୧୦୯ ରନର ଶତକୀୟ ଭାଗିଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ବଡ ସ୍କୋର ଅଭିମୁଖେ ନେଇଥିଲେ । ଚାପମ୍ୟାନ୍‌ ୪୫ ବଲରେ ଓ ଗପ୍ଟିଲ ୩୧ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ସେଟ୍‌ ଯୋଡିବାକୁ ଭାଙ୍ଗିଲେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ । ଚାପମ୍ୟାନ୍‌ ୬୩ (୫୦ ବଲ୍‌, ୬ ଚୌକା, ୨ ଛକା) ରନ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍‌ ଫିଲିପ୍ସ ମାତ୍ର ୩ ବଲର ସାମ୍ନା କରି ପ୍ୟାଭିଲିୟନ୍‌ ଫେରିଥିଲେ । ତାଙ୍କୁ ମଧ୍ୟ ଅଶ୍ୱିନ୍‌ ପ୍ୟାଭିଲିୟନ୍‌ ପଠାଇଥିଲେ ।
ଏହା ପରେ ଗପ୍ଟିଲ ଦ୍ରୁତ ରନ୍‌ କରି ଦଳକୁ ମଜଭୁତ୍‌ ସ୍କୋର ଆଡକୁ ନେଇଥିଲେ । କିନ୍ତୁ ଅଷ୍ଟାଦଶ ଓଭରରେ ଦୀପକ ଚହର ତାଙ୍କୁ ଆଉଟ୍‌ କରି ଭାରତକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ । ଗପ୍ଟିଲ ୪୨ ବଲର ସାମ୍ନା କରି ୭୨ ରନ୍‌ କରିଥିଲେ, ଯେଉଁଥିରେ ୩ ଚୌକା ଓ ୪ ଛକା ସାମିଲ୍‌ ଥିଲା । ତାଙ୍କ ଆଉଟ୍‌ ପରେ ଭ୍ରମଣକାରୀ ଦଳର ରନ୍‌ ଗତି ହ୍ରାସ ପାଇଥିଲା । ଯେଉଁ କାରଣରୁ କିୱି ଟିମ୍‌ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ଶେଷ ୧୬ ବଲରେ ମାତ୍ର ୧୧ ରନ୍‌ କରିଥିଲା । ଟିମ୍‌ ସିଫର୍ଟ ୧୨ ଓ ରଚିନ୍‌ ରବୀନ୍ଦ୍ର ୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ମିଚେଲ୍‌ ସାଣ୍ଟନର୍‌ ୪ ରନ୍‌ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଅଶ୍ୱିନ୍‌ ୨ଟି ଲେଖାଏ ୱିକେଟ୍‌ ନେଇଥିଲେ ।

hiranchal ad1
Leave A Reply

Your email address will not be published.

14 − nine =