ପୁରୀ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ୨୬ ତମ ଗଣ ସତ୍ୟାଗ୍ରହ ଧାରଣା ଦିଆଯାଇଛି । ୧୯୯୫ ମସିହାଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଏଏସ୍ଆଇ ହାତକୁ ନେଇ ପ୍ରବେଶ ଶୁଳ୍କ ଆଦାୟ କରିଥିଲେ । ସେହି ଦିନରୁ କୋଣାର୍କ ସୁରକ୍ଷା ସମିତି ପ୍ରତି ଶନିବାର ଏହି ସତ୍ୟଗ୍ରହ କରୁଛି । ମନ୍ଦିର ଭିତରକୁ ପ୍ରବେଶ ଶୁକ୍ଳ ଛାଡ, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, କୋଣାର୍କ ଅଞ୍ଚଳର ଜମିଜମା ଫଇସଲା, ବ୍ୟବସାୟୀମାନଙ୍କୁ ଥଇଥାନ, ସୂର୍ଯ୍ୟ ମନ୍ଦିର ସୁରକ୍ଷା ଆଦି ଦାବିନେଇ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନ କରିଆସୁଛନ୍ତି । ଆଜକୁ ୨୬ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଦାବି ପୂରଣ କରି ନାହାଁନ୍ତି । ତାକୁ ଆଖିରେ ରଖି ସୁରକ୍ଷା ସମିତି ଆଜି ୨୬ ତମ ଗଣ ସତ୍ୟାଗ୍ରହରେ ପହଞ୍ଚିଥିବା ବେଳେ ୫ ଦଫା ଦାବି ଗୋପ ତହସିଲଦାରଙ୍କ ମାଧ୍ୟମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେପଟେ ୫ ଦଫା ଦାବି ପୁରଣ ନହଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।