ରାସ୍ତା ନିର୍ମାଣର ବର୍ଷେ ନ ପୁରୁଣୁ ପୋଲ ମଝିରେ ଗର୍ତ୍ତ, ଅଳ୍ପକେ ବର୍ତ୍ତିଲେ ଅଟୋ ଯାତ୍ରୀ

0 104

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ ତଥା କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ ବର୍ତ୍ତି କାଟିଙ୍ଗିଆ ପଞ୍ଚାୟତର ହାଇସ୍କୁଲ ଛକ ଠାରୁ ୧୬ନଂ ୱାର୍ଡ ପଣସପଦର ଓ ଖାରିଗୁଡ଼ାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୦ ମସିହାରେ ହୋଇଛି । ଉକ୍ତ ରାସ୍ତା ନିର୍ମାଣର ଏକ ବର୍ଷ ନ ପୁରୁଣୁ ରାସ୍ତାର ସ୍ଥାନେ ସ୍ଥାନେ ପିଚୁ ଉଠିବା ସହ ଉଭୟ ପାର୍ଶ୍ୱ ରାସ୍ତାର ମାଟି ଅତଡ଼ା ଖସି କେତେକ ସ୍ଥାନରେ ରାସ୍ତା ସଂକୀର୍ଣ୍ଣ ହୋଇଥିବା ବେଳେ ମାଟି ପଥର ରାସ୍ତା ମଧ୍ୟରେ ଜମାହୋଇ ଅବରୋଧ କରୁଛି ଏବଂ ଚଳିତ ବର୍ଷାରେ ଉକ୍ତ ଘାଟି ରାସ୍ତାର ଆଡ଼ିବାନ୍ଦା ଘାଟିରେ ଏକ ପୋଲ ମଝିରେ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଅଚାନକ ସେହି ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଟୋ ଯାତ୍ରୀ । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସକାଳୁ ପଣସପଦର ଗ୍ରାମରୁ ଏକ ଯାତ୍ରୀବାହୀ ଅଟୋ କିଛି ଯାତ୍ରୀ ନେଇ ବ୍ୟାଙ୍କ କାମରେ ବ୍ରାହ୍ମଣୀଗାଁକୁ ଆସିଥିଲେ ସେହି ସମୟରେ ରାସ୍ତା ସାମାନ୍ୟ ଦବିଥିଲା କିନ୍ତୁ ସନ୍ଧ୍ୟା ସମୟରେ ସେହି ଅଟୋ ଯାତ୍ରୀମାନଙ୍କୁ ନେଇ ନିଜଗ୍ରାମକୁ ଫେରିବା ବେଳକୁ ହଠାତ ଆଡ଼ିବାନ୍ଦା ଘାଟି ପୋଲ ମଝିରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିଥିଲେ । କିନ୍ତୁ ଅଟୋ ଚଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀମାନେ । ପ୍ରକାଶଥାଉ କି ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନରୁ ଅତି ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଖବର ପ୍ରକାଶ ପାଇଛି କିନ୍ତୁ ଆଜି ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବା ଜଣାପଡିଛି । ଏଣୁ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଗାମୀ ଦିନରେ କୌଣସି ଦୁର୍ଘଟଣା ଘଟିଲେ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଗ୍ରାମବାସୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 18 =