କନ୍ଧମାଳରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଓ ହସ୍ପିଟାଲ

0 116

ଭୁବନେଶ୍ୱର: ଦିନିକିଆ କନ୍ଧମାଳ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଜିଲ୍ଲାର ସାଢେ ୬ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ବାସୀଙ୍କୁ ଉଦ୍‌ବୋଧନ ଦେଇ କହିଲେ କନ୍ଧମାଳ ଜିଲ୍ଲା ଜୈବିକ ଫସଲ ଓ ପର୍ଯ୍ୟଟନ ପାଇଁ ବେଶ୍‌ ଆଗୁଆ । କନ୍ଧମାଳ ହେଉଛି ସୁନାର ଭୂମି । କନ୍ଧମାଳର ହଳଦୀ ସାରା ଦେଶରେ ଲୋକପ୍ରିୟ । ଏହି ଜିଲ୍ଲାରେ ଇକୋ ଟୁରିଜିମ୍‌ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ପର୍ଯ୍ୟଟକମାନେ ପ୍ରତିବର୍ଷ ଏଠାକୁ ଆସି ପର୍ଯ୍ୟଟନର ମଜା ଉଠାନ୍ତି । ଏଣୁ ଏହି ଅବସରରେ ସେ ଜିଲ୍ଲାର ବିକାଶ ପାଇଁ ୨୭୬କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ରହିଥିବା ବେଳେ ଅନେକ ଗୁଡିକ ପ୍ରକଳ୍ପ ଆଜି ଠାରୁ କାର୍ଯ୍ୟକାରୀ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟସେବାର ଉନ୍ନତ ଭିତ୍ତିଭୂମି ପାଇଁ ୫୦୪କୋଟି ଟଙ୍କାର ବିନିଯୋଗରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ବୃହତ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା ହେବ । ପ୍ରତିବର୍ଷ ଏହି ମେଡିକାଲ କଲେଜରୁ ୧୦୦ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବାହାରିବେ । ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଏହି ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ୧୨୦କୋଟି ଟଙ୍କା ବିନିଯୋଗରେ ୬୯ଟି ଗ୍ରାମ ପଞ୍ଚାୟତର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି କରାଯାଇଛି । ଏଥିପାଇଁ ପାଖାପାଖି ୨ଲକ୍ଷ ଲୋକେ ଏହି ଜିଲ୍ଲାରେ ଉପକୃତ ହୋଇଛନ୍ତି । ସେହିଭଳି ବାଲିଗୁଡା ଠାରେ ନିର୍ମାଣଧିନ ୧୨୦/୩୩ କୋଭି ଗ୍ରୀଡ୍‌ଷ୍ଟେସନ୍‌ ଖୁବ୍‌ଶୀଘ୍ର ଶେଷ ହେବ । ଏହା ଦ୍ୱାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି,ବାଲିଗୁଡା ବ୍ଲକର ୭୦ ହଜାର ପରିବାର ଉପକୃତ ହେବ । ମୁଖ୍ୟମନ୍ତ୍ରୀ କହିଲେ ସ୍ମାର୍ଟ ହେଲ୍‌ଥକାର୍ଡ ଯୋଜନାରେ ଏପର୍ଯ୍ୟନ୍ତ ୧୬ଟି ଜିଲ୍ଲାର ଲୋକେ ଉପକୃତ ହେଲେଣି । ୯୬ଲକ୍ଷ ପରିବାରର ସାଢେ ୩କୋଟି ଲୋକେ ଏହି ଯୋଜନାରେ ଉପକୃତ ହେବେ । ସ୍ୱାସ୍ଥ୍ୟ ଭିତ୍ତିଭୂମୀ ସଜାଡିବା ସରକାରଙ୍କ ପ୍ରାଥମିକତା ରହିଥିବା ବେଳେ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ସରକାର ସବୁବେଳେ ପ୍ରୟାସ କରି ଆସୁଛନ୍ତି । ଏହି ଯୋଜନାରେ ଲୋକେ ହସ୍‌ପିଟାଲକୁ ଗଲେ କୌଣସି ଗୋଟିଏ ଖର୍ଚ୍ଚ ସେମାନଙ୍କୁ ବହନ କରିବାକୁ ପଡିବ ନାହିଁ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ଓ ଆଇଇମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ସ୍ଥାନୀୟ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − sixteen =