ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୮ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୮୭୨.୧୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩୪୬୧ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ପଶୁପାଳନ ଏବଂ ଡାଉନ୍ଷ୍ଟ୍ରିମ୍ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ ।
ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଂଟ ଗୁଡିକ ନିମନ୍ତେ ରାଜ୍ୟଭିତରୁ କଂଚାମାଲ୍ ସଂଯୋଜିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର କୃଷି ଓ କୃଷକ ସଶକ୍ତିକରଣ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରସ୍ତାବିତ ଶିଳ୍ପଗୁଡିକ ପାଇଁ ଆବଶ୍ୟକ ପଡୁଥିବା ଜମି ଓ ଜଳର ବାସ୍ତବବାଦୀ ଆକଳନ କରିବା ସହ ଶିଳ୍ପସଂସ୍ଥା ମାନଙ୍କୁ ଆବଣ୍ଟିତ ହୋଇଥିବା ଜମିର ଶତପ୍ରତିଶତ ସଠିକ୍ ବିନିଯୋଗ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।
ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଯାଜପୁର ଠାରେ ଶ୍ୟାମ୍ ମେଟାଲିକ୍ସ୍ ଲିଃ ର ଫେରୋ ଏଲଏଜ୍ ପ୍ଲାଂଟ । ଏଥିରେ ୩୨୮.୭୫ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୩୩୦ ନିଯୁକ୍ତି ସୃଷ୍ଟି ହେବ ।
ସେହିପରି ଜିନ୍ଦଲ କୋକେ ଲିଃର କଳିଙ୍ଗ ନଗର ସ୍ଥିତ କୋକେ ଏବଂ ପେଟ୍ରୋଲିଅମ୍ ୟୁନିଟର ସଂପ୍ରସାରଣ ପାଇଁ ୪୭୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ୨୭୦ ନିଯୁକ୍ତି ସୃଷ୍ଟି ହେବ । ଜି.ଭି. ମାଇନ୍ସ୍ ଏବଂ ମେଟାଲ୍ସ୍ ଲିଃ କେନ୍ଦୁଝର ଜିଲ୍ଲାରେ ଆଇରନ୍ ଓର୍ ପାଇପ୍ କନଭେ ସିଷ୍ଟମ୍ ପାଇଁ ୧୦୪.୪୮ କୋଟି ଟଙ୍କା ବିନିଯୋଗ ହେବ ଏବଂ ୨୩୮ ନିଯୁକ୍ତି ସୃଷ୍ଟି ହେବ । ଗ୍ରିନଟେକ୍ ବାଇଓ ଏନର୍ଜି ଦ୍ୱାରା ବରଗଡ ଜିଲ୍ଲାରେ ଏଥାନଲ୍ ପ୍ଲାଂଟ ପ୍ରତିଷ୍ଠା ହେବ । ଏଥିପାଇଁ ୨୫୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ୨୦୨ ନିଯୁକ୍ତି ସୃଷ୍ଟି ହେବ ।
ବାଇଓ-ଆଗ୍ରୋ ଏନର୍ଜି ଲିଃ ସୋନପୁର ଜିଲ୍ଲାରେ ଏଥାନଲ୍ ପ୍ଲାଂଟ ପ୍ରତିଷ୍ଠା କରିବାକୁ ଥିବା ବେଳେ ଏଥିପାଇଁ ୨୨୮.୫୫ କୋଟି ଟଙ୍କା ବିନିଯୋଗ ହେବ ଏବଂ ୩୩୭ ନିଯୁକ୍ତି ସୃଷ୍ଟି ହେବ । ଭାରତୀୟ ପଟାସ୍ ଲିଃ କଳାହାଣ୍ଡି ଜିଲ୍ଲାରେ ଶସ୍ୟ-ଭିତ୍ତିକ ଏଥାନଲ୍ ପ୍ଲାଂଟ କରିବ । ଏଥିପାଇଁ ୨୧୯ କୋଟି ବିନିଯୋଗ ହେବ , ୨୩୮ ନିଯୁକ୍ତି ସୃଷ୍ଟି ହେବ । ଏନର୍ଜି ଇଂଟ୍ରା ଲିଃ ଝାରସୁଗୁଡା ଜିଲ୍ଲାରେ ଶସ୍ୟ-ଭିତ୍ତିକ ଏଥାନଲ୍ ପ୍ଲାଂଟ ପ୍ରତିଷ୍ଠା କରିବ । ୨୦୫ କୋଟି ଟଙ୍କା ବିନିଯୋଗ ହେବ ଓ୧୯୬ ନିଯୁକ୍ତି ସୃଷ୍ଟି ହେବ । ଏହା ବ୍ୟତୀତ ଆବିସ ଏକ୍ସପୋର୍ଟିସ୍ ଲିଃ ମୟୁରଭଞ୍ଜ ଜିଲ୍ଲାରେ ସ୍ୱୟଂକ୍ରିୟ କୁକୁଡା ଚିଆଁ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିପାଇଁ ୬୬.୩୩ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ୧,୬୫୦ ନିଯୁକ୍ତି ସୃଷ୍ଟି ହେବ ।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post