ରାଜ୍ୟ କ୍ୟାବିନେଟରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର, ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ମଞ୍ଜୁରୀ

0 161

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୨୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ଦିଆଯାଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପସ୍ତାବ ସଂପର୍କରେ ଆଲୋଚନା ପରେ କ୍ୟାବିନେଟର ମୋହର ମିଳିଥିଲା । କ୍ୟାବିନେଟ ବୈଠକ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଆଜି ରାଜ୍ୟ କ୍ୟାବିନେଟରେ ମୋଟ୍‌ ୨୪ଟି ପ୍ରସ୍ତାବକୁ ସରକାର ମୋହର ଦେଇଛନ୍ତି । ସେଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଓଡିଶା ଇଲେକ୍ଟ୍ରୋନିକ୍ସ-୨୦୨୧କୁ ମଞ୍ଜୁରୀ ମିଳିଛି । ଓଡିଶାରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଣୁ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ମାନୁଫ୍ୟାକ୍‌ଚରିଂ ଶିଳ୍ପ ତ୍ୱରାନ୍ୱିତ କରିବା ଏହି ନୀତିର ଲକ୍ଷ୍ୟ ବୋଲି ସେ କହିଥିଲେ । ଆସନ୍ତା ୨୦୨୬ ସୁଦ୍ଧା ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ବ୍ୟାପକ ପ୍ରଚାର ପ୍ରସାର ଏହି ନୀତି ଯୋଗ ହୋଇପାରିବ । ଏଥିରେ ପ୍ରଥମ ୧୦ଟି ନୂଆ ପୁଞ୍ଜିନିବେଶ ଓ ସଂପ୍ରସାରଣକୁ ଉତ୍ପାଦନ ଭିତ୍ତିକ ସହାୟତା ବାବାଦରେ ବାର୍ଷିକ କାରବାରର ଏକ ପ୍ରତିଶତ ଉତ୍ପାଦନ ଆରମ୍ଭରୁ ୫ବର୍ଷ ପାଇଁ ଯୋଗାଇ ଦିଆଯିବ । ସେହିଭଳି ଇଏସ୍‌ଡିଏମ୍‌ ୟୁନିଟ ଗୁଡିକ ପୁଞ୍ଜିନିବେଶ ଆଧାରରେ ୧୦କୋଟିରୁ ୨୫୦କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ଶୁଳ୍କ ୫ ବର୍ଷ ପାଇଁ ଛାଡ କରାଯିବ, ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ବିଲ୍‌ର ୩୦ ପ୍ରତିଶତ ସର୍ବାଧିକ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯିବ । ସେହିଭଳି ଷ୍ଟାଫ୍‌ ଡିଉଟି ଜମି କ୍ରିୟ କ୍ଷେତ୍ରରେ ଶତପ୍ରତିଶତ ଛାଡ କରାଯିବ । ଏହାଦ୍ୱାରା ଉଦ୍ୟୋଗୀମାନେ ଇଲେକ୍ଟ୍ରୋନିକ୍ସ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିବେ । ଏଥିରେ ମହିଳା ଓ ଏସ୍‌ଏସ୍‌ଟି, ଭିନ୍ନକ୍ଷମମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧କୋଟି ଯାଏଁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକି ଉଚ୍ଚ ଶକ୍ତି ସଂପନ୍ନ କମିଟି ଗଠନ କରାଯାଇ ଉଦ୍ୟୋଗୀମାନଙ୍କର କାର୍ଯ୍ୟର ତଦାରଖ କରାଯିବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି । ସେହିଭଳି ବିନା ବିସ୍ଥାପନରେ ସୀମିତ ନଦୀଗର୍ଭରେ ବୃହତ ଜଳାଶୟ ସୃଷ୍ଟି ପାଇଁ ସରକାର କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛନ୍ତି । ୨୦୧୯-୨୦ ମସିହାରେ ୧୧୭୦୦କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସରକାର ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନ୍ନିକଟ ନିର୍ମାଣ ନାମରେ ହାତକୁ ନେଇଛନ୍ତି । ଏହି ପ୍ରକଳ୍ପଟି ଛତାମଖନା ସହିତ ବଲାଙ୍ଗିର ପଇଁତଲା ବ୍ଲକର ୧୩ଟି ଗ୍ରାମବାସୀଙ୍କ ପାଇଁ ଜଳ ଉପଲବ୍ଧ କରାଇବ । ସେହିଭଳି କ୍ୟାବିନେଟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପାର୍ବତୀ ବୃହତ ଉଠାଜଳସେଚନ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଯେଉଁ ଯୋଜନା କରିଛନ୍ତି ସେଥିପାଇଁ ୧୦୭୫୯କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ବରାଦକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଶେଷ ହେଲେ ୨ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଜମି ଚାଷ ଉପଯୋଗୀ ହୋଇପାରିବ ।
ଓଡିଶା ଉଦ୍ୟାନ କୃଷି ସେବା ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ ନିୟମାବଳୀ ୨୦୨୧ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ସେବାରେ ଥିବା ପଦୋନ୍ନତି ଭିତ୍ତିକ ପଦବୀଗୁଡିକ ସମୟ ଅନୁସାରେ ପୂରଣ କରାଯାଇପାରିବ । କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ଅର୍ଥରାଶିର ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବ୍ୟବସାୟିକ ଉଦ୍ୟୋଗ ପ୍ରତିଷ୍ଠାକୁ ପ୍ରତ୍ସାହିତ କରାଯାଇ ରୋଜଗାର ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ । ଏଥିପାଇଁ ଆସନ୍ତା ୫ ବର୍ଷ ପାଇଁ କ୍ୟାବିନେଟ୍‌ ୪୮୪.୧୦କୋଟି ଟଙ୍କାର ଖର୍ଚ୍ଚ ଆକଳନକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି । ମେଗା ଇଣ୍ଡଷ୍ଟ୍ରିଗୁଡିକ ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇ ଦେବା ଶିଳ୍ପୀ ନୀତି ୨୦୧୫ରେ ଏକ ନୂଆ ଧାରା ଯୋଗ କରାଯାଇ ସଂଶୋଧନକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ପ୍ରସ୍ତାବିତ ସଂଶୋଧନ ଗୁଡିକ ରାଜ୍ୟରେ ୧୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୩୫ହଜାର ନିଯୁକ୍ତି ସୃଷ୍ଟି କରିପାରିବେ ।
ଆସ୍କା ସମବାୟ ଚିନି କଳର ଆଖୁଚାଷୀମାନଙ୍କ ପାଇଁ ନଗଦ ୧୫କୋଟି ଟଙ୍କାର ଋଣ ସୁବିଧାକୁ ସରକାର ଗ୍ୟାରେଣ୍ଟି ସହିତ ଅନୁମୋଦନ ଦେଇଛନ୍ତି । ସେହିପରି ଓଡିଶା ବେସାମରିକ ସେବା (ସଂଯୁକ୍ତ ପ୍ରତିଯୋଗିତା ମୂଳକ) ପରୀକ୍ଷା ନିୟମାବଳୀ ୧୯୯୧ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟର ଅନ୍ୟଏକ ନିଷ୍ପତ୍ତି କ୍ରମେ ସରକାରୀ ବିଦ୍ୟାଳୟ ଓ ସରକାରୀ ଉଦ୍ୟୋଗମାନଙ୍କଗୁଡିକରେ ଗ୍ରୁପ ଏ, ବି, ସି ପଦବୀରେ ବିଶିଷ୍ଟ କ୍ରୀଡାବିତମାନଙ୍କ ନିଯୁକ୍ତି କ୍ୟାବିନେଟ ମଞ୍ଜୁରୀ କରିଛନ୍ତି । ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବାରୁ କ୍ୟାବିନେଟରେ ଜେଜେଏମ୍‌ ଯୋଜନାରେ କୋରାପୁଟ ଜିଲ୍ଲାରେ ତିନୋଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା କୋରାପୁଟ ଜିଲ୍ଲାର ୬ଟି ବ୍ଲକ ଅଧିନରେ ୫୪ଟି ଗ୍ରାମ ପଞ୍ଚାୟତର ୩ଲକ୍ଷ ପାଖାପାଖି ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ, ମଠ ସଂପର୍କିତ ବ୍ୟାପାରଗୁଡିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି କ୍ୟାବିନେଟ୍‌ ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ପାଇଁ ଏକ ଅଧ୍ୟାଦେଶକୁ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − nineteen =