ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୧କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ରେବିଙ୍ଗିଆ ପଞ୍ଚାୟତର ସଲାକିଆ ଓ ପଡ଼ିଗାଁ ଅଞ୍ଚଳରେ ୧୧୦ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ବାଲିଗୁଡ଼ା ଏସଡିପିଓ ଆଇପିଏସ ଜି.ରାଘବେନ୍ଦ୍ର ରେଡ୍ଡୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ଓ ଅବକାରୀ ପୋଲିସ୍ ଏହି ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛନ୍ତି । କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେସନ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନା ଅଞ୍ଚଳରୁ ୬୮୫ ଏକରରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି, ଯାହାର ଆନୁମାନିକ ମୂଲ୍ୟ ୬୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ କନ୍ଧମାଳ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଏହି ଅପରେସନ୍ ଜାରି ରହିଛି ଏବଂ ଆଗକୁ ମଧ୍ୟ ଯାରି ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ଆଇପିଏସ ଜି.ରାଘବେନ୍ଦ୍ର ରେଡ୍ଡୀ ।