ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଞ୍ଚାୟତର ବାଙ୍କତଇଳା ଗ୍ରାମରେ ଗୋପାଳ ସମାଜ ଅବସର ବିନୋଦର ଗୃହ ନିର୍ମାଣ ପାଇଁ ଦଶପଲ୍ଲା ଯୁବ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଆଜି ଶୁଭ ଦେଇଛନ୍ତି । କିଛିଦିନ ତଳେ ଗ୍ରାମର ସମସ୍ତ ଗ୍ରାମବାସୀ ବିଧାୟକଙ୍କ ପାଖକୁ ଯାଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଗ୍ରାମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଧାୟକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସୂଚନା ମୁତାବକ ଆଜି ଦିବା ୧୨ ଘଟିକା ସମୟେ ବିଧାୟକ ମହୋଦୟ ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀମାନେ ନଦୀଆ କୀର୍ତ୍ତନର ତାଳେତାଳେ,ଭାବମୟ ପରିବେଶ ମଧ୍ୟରେ ଏକ ବିରାଟ ପଟୁଆରରେ ବିଧାୟକଙ୍କୁ ପାଛୋଟି ନେଇଥିଲେ ଏବଂ ବୈଦିକ ମନ୍ତ୍ର ପାଠ ପରେ ଗୃହ ନିର୍ମାଣ ପାଇଁ ଶୁଭ ଅନୁକୂଳ କରିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଗ୍ରାମକୁ ସବୁଦିନିଆ ରାସ୍ତା ଓ ଏକ ଉଠାଜଳସେଚନ ପ୍ରକଳ୍ପ ଖୁବ୍ ଶୀଘ୍ର ନିର୍ମାଣ କରିବାକୁ ବିଧାୟକ ପ୍ରତିଶୃତି ମଧ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ଓ ବହୁ ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ସମେତ, ଅଂଚଳର ବିଶିଷ୍ଠ ବ୍ୟକ୍ତି ସର୍ବଶ୍ରୀ ବାନାମ୍ବର ନାଏକ, ନିରଂଜନ ରାଉଳ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ସାହୁ, ଲକ୍ଷ୍ମୀଧର ମୁଦୁଲି, ପାଣ୍ଡବ ଭୋଇ, ନୀଳକଣ୍ଠ ଭୋଇ, ଯଶୋବନ୍ତ ଭୋଇ ମହିଳା ନେତ୍ରୀ ସୁକାନ୍ତି ଭୋଇଙ୍କ ସମେତ ବହୁ ଯୁବକ, ମହିଳା ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ ।