ଭୁବନେଶ୍ୱର:୨୦୧୧ର ବହୁ ଚର୍ଚ୍ଚିତ ପିପିଲି ବେବିନା ଗଣଦୁଷ୍କର୍ମ ଘଟଣାକୁ ୧୦ ବର୍ଷ ବିତିଯାଇଥିଲେ ବି ନା ଅପରାଧିମାନେ ଦଣ୍ଡ ପାଇଛନ୍ତି ନା ସରକାର ବସାଇଥିବା ତଦନ୍ତ କମିଶନ ରିପୋର୍ଟ ବିଧାନ ସଭାରେ ଆଗତ ହୋଇଛି । ତେଣୁ ଆସନ୍ତା ବିଧାନସଭାରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପିତ କରିବା ସହିତ ପିପିଲି ପୀଡ଼ିତାର ବିଚାର କେତେବାଟରେ ପହଂଚିଛି ସରକାର ଉତର ରଖିବା ପାଇଁ କଂଗ୍ରେସ ଦାବି କରିଛି ।
ମୁଖପାତ୍ର ନିଶିକାନ୍ତ ମିଶ୍ର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ପିକେ ମହାନ୍ତି ତଦନ୍ତ କମିଶନ ଚୂଡ଼ାନ୍ତ ରିପୋର୍ଟ ଗୃହ ବିଭାଗ ନିକଟରେ ଦାଖଲ କରିଥିଲେ । ଇତି ମଧ୍ୟରେ ରିପୋର୍ଟ ଦାଖଲ ହେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ବିଧାନସଭାରେ ଆଗତ କରୁନାହାନ୍ତି । ଘଟଣା ଘଟିବାର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ପିଡ଼ିତା ପରିବାର ନ୍ୟାୟ ପାଇବାରୁ ବଂଚିତ ଏବଂ ଯେଉଁ ଉଦ୍ଦେଶ୍ୟ ନେଇ ତଦନ୍ତ କମିଶନ ଗଠନ ହୋଇଥିଲା ବିଶେଷ କରି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା , ଏଥିପାଇଁ ଉତରଦାୟୀ କିଏ ଏବଂ ପୋଲିସ ତାର ସଠିକ କାର୍ଯ୍ୟ ସଂପାଦନ କରିଛି ନା ନାହିଁ । କମିଶନ ଏହି ୩ ଗୋଟି ପ୍ରସଙ୍ଗକୁ ପାଖାପାଖି ୪ବର୍ଷ ସମୟ ନେଇଥିଲେ ଏଥିରେ ୫୦ ଉର୍ଦ୍ଧ୍ୱ ସତ୍ୟପାଠ, ପାଖାପାଖି ୫୦ ଜଣଙ୍କୁ ଜେରା ଏବଂ ୧୦୦ ରୁ ଉର୍ଦ୍ଧ୍ୱ ବୈଠକ ପରେ ୩୦ ମାର୍ଚ୍ଚ ୨୦୧୬ରେ ପାଖାପାଖି ୪୦୦ ଶହ ପୃଷ୍ଟାର ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ । ଇତିମଧ୍ୟରେ କମିଶନ ତାଙ୍କ ରିପୋର୍ଟ ଦେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟକୁ ସାର୍ବଜନୀନ ନକରି ମମିତା ଘଟଣାରେ ମହିଳାମାନଙ୍କୁ ନ୍ୟାୟ ଦେବାର ବାରମ୍ବାର ସଫେଇ ଧର୍ମକୁ ଆଖି ମିଟିକା ଛଡ଼ା ଆଉକିଛି ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ ।