ସମ୍ବଲପୁର:ଆମ ଆଖପାଖରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପ୍ରାକୃତିକ ମନୋରମ ସ୍ଥାନ ରହିଛି ଯାହାକି ସହସ୍ରାଧିକଙ୍କୁ ରୋଜଗାର ଯୋଗାଇବା ସହିତ ରାଜ୍ୟପାଇଁ ବିପୁଳ ପର୍ଯ୍ୟଟନ ରାଜସ୍ୱ ଆଣିଦେଇପାରିବ କିନ୍ତୁ ରାଜ୍ୟସରକାର ଚରମ ଅବହେଳା କରିଆସୁଥିବା ଅଭିଯୋଗ ହୋଇଥାଏ ।
ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ବିସ୍ତିର୍ଣ୍ଣ ଜଳରାଶି ଓ ଏହାର ଚାରିପଟେ ଅନେକ ପ୍ରାକୃତିକ ମନୋରମ ସ୍ଥାନ ରହିଛି ଯାହାକି ପର୍ଯ୍ୟଟକଙ୍କୁ ବର୍ଷସାରା ଆକୃଷ୍ଟ କରି ରଖିପାରିବ ହେଲେ ସେଥିପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟିନାହିଁ । ଏଇ ଗତବର୍ଷ ସେଠାକାର ଜବାହର ଉଦ୍ୟାନରୁ ନିକଟସ୍ଥ ଗାନ୍ଧୀମୀନାର ଯାଏଁ ଏକ ରୋପୱେ ଆରମ୍ଭ କରାଗଲା ଯେଉଁଥିପାଇଁ ସେଠାରେ ବର୍ଷତମାମ ଭିଡ ରହୁଛି ।
ଏହି ରୋପୱେରେ ଯାତ୍ରା କଲାବେଳେ ପର୍ଯ୍ୟଟକଙ୍କୁ ଲାଗେ ସତେଯେମିତି ସେ ହେଲିକେପ୍ଟର ଯୋଗେ ହୀରାକୁଦ ପାଖରେ ଉଡିଯାଉଛନ୍ତି । ଏପରି ନିଆରା ଅନୁଭୂତି ସେମାନଙ୍କ ସ୍ମୃତିରେ ସାଇତି ହୋଇ ରହିଯାଏ । କେବଳ ଏତିକି କାହିଁକି ଯଦି ସେଠାରେ ଜବାହର ଉଦ୍ୟାନର ତୁଳନା ମହୀଶୁର ନିକଟସ୍ଥ ବୃନ୍ଦାବନ ଗାର୍ଡେନ ସହିତ କରାଯାଇପାରିବ । ଯଦି ସେଠାକୁ ଯିବାଆସିବା ପାଇଁ ସାମାନ୍ୟ ସୁଲଭ ସୁବିଧା ଯୋଗାଇ ଦିଆଯାଏ ଓ ଏ ଦିଗରେ ରାଜ୍ୟସରକାର ସାମାନ୍ୟ କିଛି ପ୍ରଚାର ପ୍ରସାର ପାଇଁ ଦୃଷ୍ଟି ଦିଅନ୍ତି ତାହାର ଅଦ୍ଭୁତ ଫଳ ଦେଖିବାକୁ ମିଳିପାରିବ । କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଯେ ସେ ତ ଆଜିପର୍ଯ୍ୟନ୍ତ ସ୍ୱର୍ଣ୍ଣତ୍ରିଭୁଜ ଅଞ୍ଚଳରୁ ବାହାରକୁ ଆସିପାରିନାହାନ୍ତି ।