ପାଟଣାଗଡ : ଚାଷ କାମ ଯାହାର କେଡେ ଖୁସ ତାହାର ସେ ସିନା ଦୁନିଆଁ ଯୁଗାଉଛି ଆହାର ” – ଏ ଉକ୍ତି ଟା ପଢ଼ିବା କି କହିବାକୁ ବହୁତ ସୁନ୍ଦର ଓ ସରଳ ଲାଗିଥାଏ । ହେଲେ ଚାଷୀର ଜୀବନ ସର୍ବଦା କଠିନ । କେତେ ବେଳେ ବର୍ଷାର ଅଭାବ ତ କେତେବେଳେ ଦୈବଦୁର୍ବିପାକ ତ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଥାଏ ଚାଷୀଙ୍କୁ । ସାମ୍ଭାବ୍ୟ ବାତ୍ୟାର ଜୱାଦର ପ୍ରଭାବ ଯୋଗୁଁ ଲାଗି ରହିଛି ମେଘୁଆ ପାଗ ଓ ଝିପିଝିପି ବର୍ଷା । ଚାଷୀର ଧାନ ଫସଲ ଅମଳ ସମୟରେ ହୋଇଥିବାରୁ ଧାନ ପେଟା ପାଣିରେ ଭିଜି ଗଜା ହୋଇ ନଷ୍ଟ ହୋଇଥିବା ଓ ଧାନ ଫସଲ ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ବ୍ଳକରେ ଚଳିତ ବର୍ଷ ଖରିଫ ଋତୁରେ ଚାଷ କାର୍ଯ୍ୟରେ ବ୍ୟାପକ ସୃଷ୍ଟି ହୋଇଥିବା ବେଳେ ଅଳ୍ପ ମାତ୍ରାରେ ହୋଇଥିବା ଧାନ,କପା,ମୁଗବିରି ଆଦି ଫସଲ ଲାଗି ରହିଥିବା ଝିପିଝିପିରେ ନଷ୍ଟ ହୋଇପଡିଛି । ଉକ୍ତ ଅଞ୍ଚଳରେ ବିଶେଷ ପରିମାଣରେ ଚାଷୀ କପା ଚାଷ କରି ଦୁଇ ପଇସା ଅଧିକ ପାଉଥିବା ବେଳେ ଝିପିଝିପି ବର୍ଷା ଯୋଗୁଁ ନଷ୍ଟ ହୋଇପଡିଛି ।
ଚାଷୀ ଧାର କରଜ ଋଣ କରି ଚାଷ କରିଥିବା ବେଳେ ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷୀ ଚିନ୍ତାରେ ମୁଣ୍ଡ ରେ ହାତ ମାରି ବସିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଚାଷୀଙ୍କ ଫସଲର ନଷ୍ଟ ହୋଇଥିବା କ୍ଷୟ କ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।