ପାରଳାଖେମୁଣ୍ଡି : ଗଜପତିରେ ବର୍ଷରେ ଶେଷ ତଥା ଚତୁର୍ଥ ଲୋକ ଅଦାଲତ ଟଙ୍କା ୨୫୬୦୦୦୦.୦୦ କ୍ଷତି ପୂରଣ ନିର୍ଦ୍ଦେଶ ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବର୍ଷର ଚତୁର୍ଥ ତଥା ଶେଷ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଜାତୀୟ ଆଇନ ସେବା ପ୍ରାଧି କରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଚିଠି ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୌରା ଜଜ ସତ୍ୟପିର ମିଶ୍ର ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ ପ୍ରଦାନ କରି ଥିଲେ ।
ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧିନ ଥିବା ମାମଲାରେ ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚମାନ ପ୍ରତିଷ୍ଠା କରାଯାଇଥିଲା । ଲୋକ ଅଦାଲତରେ ପରିବାର ଅଦାଲତ ଜଜ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ ହେମନ୍ତ କୁମାର ସେଠୀ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ ମାନସ ରଞ୍ଜନ ପଣ୍ଡା, ସବ ଜଜ ଚନ୍ଦ୍ରାହାସ ବେହେରା, କୋର୍ଟ ରେଜିଷ୍ଟାର ସତ୍ୟ ବ୍ରତ ରାଣା, ଉପ ଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତି ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ମହିଳା ବିଭାଗ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ପ୍ରଥମ ଶ୍ରେଣୀ । ବିଚାର ବିଭାଗୀୟ ଅଧିକାରୀ ଅରିଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ସେହିପରି ଭାବେ ଆର.ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସବ ଜଜ ବିଶ୍ୱେ୍ୱଶ୍ୱର ବିଶ୍ୱ ପ୍ରକାଶ ରାୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ପାରଶ ପାଢ଼ୀ, ମୋହନା କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତି ଅନନ୍ୟା ଦାଶ ଓ କାଶୀ ନଗର ଗ୍ରାମ୍ୟ ନ୍ୟାୟାଳୟର ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ରେଶମା ଧଳ ବିଶୋୟି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧିୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ ଆୟୋଜିତ ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ରାମ ନାଥ ମିଶ୍ରଙ୍କ ସମେତ ସମସ୍ତ ବରିଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେସ ମକଦ୍ଦମାରେ ସହ ଯୋଗ ପ୍ରଦାନ କରିଥିଲେ ।
ଏହି ଲୋକ ଅଦାଲତରେ ସମୁଦାୟ ୫୨୭ ଟି କେସକୁ ବିଚାରକୁ ନିଆ ଯାଇ ୧୩୪ ଟି ମାମଲାର ତ୍ୱରିତ ସମାଧାନ କରା ଯାଇ ଟ. ୩୬୫୯୨୫୦. ୦୦ ଜରିମାନା ଆଦାୟ କରାଯାଇଥିଲା । ସେହି ପରି ଭାବେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ତଥା ମୋଟର ଜନିତ ଦୁର୍ଘଟଣା କୋର୍ଟର ମୁଖ୍ୟ ବିଚାରପତି ସତ୍ୟପିର ମିଶ୍ର ୮ଟି ମୋଟର ଜନିତ ଦୁର୍ଘଟଣା କେସର ତ୍ୱରିତ ସମାଧାନ କରି ୫ଟି କେସ ବାବଦକୁ ଟ. ୨୫୬୦୦୦୦.୦୦ କ୍ଷତିପୂରଣ ପାଇଁ ଇନ୍ସରାନ୍ସ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ବ୍ୟାଙ୍କ ମାନେ ଉପସ୍ଥିତ ରହି ୧୪୮ ଟି କେସ ରୁ ୨୯ ଟି ସମାଧାନ କରି ଟ. ୩୩୮୦୦୦.୦୦ ଜରିମାନା ଆଦାୟ କରି ଥିଲେ । ଏହି ଲୋକ ଅଦାଲତକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।