ଲ୍ୟାମ୍ପ କର୍ମଚାରୀ ରାଜଧାନୀରେ, ବେପାରୀଙ୍କ କବଜାରେ ଚାଷୀ

0 84

ନବରଙ୍ଗପୁର,୧୨/୧୨(ହୀ.ପ୍ର)- ଲ୍ୟାମ୍ପ କର୍ମଚାରୀ ସେମାନଙ୍କ ହକ ପାଇଁ ଏବେ ରାଜଧାନୀରେ ଥିବାବେଳେ ଏପଟେ ବେପାରୀଙ୍କ କବଜାରେ ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଏକ ମାସରୁ ଉର୍ଦ୍ଧ୍ୱହେବ ବିଭିନ୍ନ ଦାବିନେଇ ଲ୍ୟାମ୍ପ କର୍ମଚାରୀମାନେ ଧାରଣା ଦେବାସହ କାର୍ଯ୍ୟବନ୍ଦ ଡାକରା ଦେଇ ଜିଲ୍ଲାର ସମସ୍ତ ଲ୍ୟାମ୍ପକୁ ଠପ୍‌ କରିଦେଇଛନ୍ତି । ବର୍ଷସାରା କଷ୍ଟ କରିଥିବା ଧାନ ଅମଳ କରି ଧାନକୁ ଜଗିରହିଛନ୍ତି ମଣ୍ଡି କେବେ ଖୋଲିବ । ଏପଟେ ଅନିଶ୍ଚିତ଼ତା ମଧ୍ୟରେ ରହିଅଛି ଧାନ ମଣ୍ଡି । ଲ୍ୟାମ୍ପ କର୍ମଚାରୀଙ୍କ ଧାରଣା ଯୋଗୁଁ ମଣ୍ଡି ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜିଲ୍ଲାସ୍ତରୀୟ ପ୍ରକୃପମେଣ୍ଟ କମିଟି ତରଫରୁ ଡିସେମ୍ବର ମାସ ୧୦ ତାରିଖରେ ମଣ୍ଡି ଖୋଲିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଲ୍ୟାମ୍ପ କର୍ମଚାରୀ ତାଙ୍କ ଜିଦରେ ଅଟଳ ଥିବା ଯୋଗୁଁ ମଣ୍ଡି ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଛି । ସବୁବର୍ଷ ଏହି ସମୟରେ ମଣ୍ଡି ଆରମ୍ଭ ହୋଇଯାଇଥାଏ କିନ୍ତୁ ଚଳିତବର୍ଷ ଏପର୍ଯ୍ୟନ୍ତ ମଣ୍ଡି ଆରମ୍ଭ ହୋଇନାହିଁ । ଏପଟେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସମବାୟ ସମିତିର କର୍ମଚାରୀମାନେ ଗତକାଲି ଭୁବନେଶ୍ୱର ଯାଇଛନ୍ତି ଧାରଣା ଦେବାକୁ । ଏପଟେ ଚାଷୀ ଧାନ ଅମଳ କରି ଜଗି ରହିଛନ୍ତି ମଣ୍ଡି କେବେ ଖୋଲିବ ଏବଂ କେବେ ବିକ୍ରି କରିବ ଏନେଇ ଚିନ୍ତାରେ ଥିବାବେଳେ କିଛି ଚାଷୀ କୋହଲା ପାଗକୁ ଦେଖି ଏପର୍ଯ୍ୟନ୍ତ ଧାନ ଅମଳ ନକରି ଖଳାରେ ଧାନ ଗଦା ରଖି ଜଗିରହିଛନ୍ତି । ଚାଷୀଙ୍କୁ ମଣ୍ଡି ଖୋଲିବା ଚିନ୍ତା ସାଙ୍ଗକୁ କୋହଲା ପାଗ ଏବେ କଣ୍ଟା ସାଜି ବସିଛି । ମଣ୍ଡିରେ ଧାନ ବିକ୍ରିକରି ସରକାରୀ ଦର ଭାବେ ବେଶ ଦୁଇ ପଇସା ପାଇବା ଆଶା ମଉଳି ଯାଇଛି । ପାଗ ଭୟ ଯୋଗୁଁ ଛୋଟ ଛୋଟ ଚାଷୀ ଅମଳ ଧାନକୁ ଅଳ୍ପ ଦାମରେ ବେପାରୀଙ୍କ ହାତରେ ଟେକି ଦେଉଛନ୍ତି । ସରକାର ଏ ଦିଗରେ କେଉଁ ପଦକ୍ଷେପକୁ ନେବେ ତାହାକୁ ଚାଷୀ ଅପେକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

one × three =