ପୁରୀ : ସଂଜୟ ଦାସବର୍ମାଙ୍କ ପିଏ ଚିତ୍ତରଞ୍ଜନ ପଲେଇଙ୍କ ସଂଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛି ପୁରୀ ପୋଲିସ । ଅତିରିକ୍ତ ଏସପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି ଘଟଣାର ତଦନ୍ତ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେ ନିଜେ ଏହି ଟିମର ମୁଖ୍ୟ ରହି ଘଟଣାର ତଦନ୍ତ କରୁଛନ୍ତି । ପୁରୀ ଏସପି ମଧ୍ୟ ଘଟଣା ସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଜାଗା ନାମକ ଏକ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ମୃତକଙ୍କ ପରିବାର ଲୋକ ସିଧା ସଳଖ ଜଗାକୁ ଏଥିପାଇଁ ଦାୟୀ କରି ସେ ହିଁ ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।
ତେବେ ବିଭିନ୍ନ ଦିଗକୁ ଅନୁଧ୍ୟାନ ପରେ ଏ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ତେବେ ପୂର୍ବରୁ ମୃତକ ଚିତ୍ତରଞ୍ଜନ ଓ ଜଗା ମଧ୍ୟରେ କିଛି ଟଙ୍କା କାରବାର ନେଇ ଗଣ୍ଡଗୋଳ ଘଟିଥିବା ବେଳେ ଏହା ହିଁ ମୁଖ୍ୟ କାରଣ ବୋଲି ସଂଦେହ କରାଯାଉଛି । ତେବେ ପୋଲିସର କହିଛି ଘଟଣାକୁ ନେଇ ବିଭିନ୍ନ ଦିଗକୁ ତଦନ୍ତ ଚାଲୁ ରହିଛି । ଏଣୁ ତଦନ୍ତ ଚାଲିଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ପ୍ରସଂଗ ନେଇ କହିବା ଠିକ ନୁହେଁ ବୋଲି ପୋଲିସ କହିଛି । ସେହିପରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଏହି ମୃତ୍ୟୁ ପଛରେ ହାତ ଥିବା ମୃତକଙ୍କ ପତ୍ନୀ ଅଭିଯୋଗ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଏ ନେଇ ଆମ ପାଖରେ କିଛି ଅଭିଯୋଗ କରାଯାଇନାହିଁ । ତେବେ ପୋଲିସ ସବୁ ଦିଗକୁ ତଦନ୍ତ କରୁଛି । ଯେ କେହିବି ଏହି ଘଟଣା ରେ ସଂପୃକ୍ତ ଥିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।