ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ

0 92

ପୁରୀ,୨୭/୧୨- ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ପୁନଃବାସ ଓ ପୁନଃଥଇଥାନ ପାଇଁ ପ୍ରସ୍ତୁତ ଚିଠା ଉପରେ ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି-୧ ମୌଜା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳ ତଥା ପ୍ରଶାସକ ଶ୍ରୀ ଭବତାରଣ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ପୁନର୍ବାସ ଓ ଥଇଥାନ ଯୋଜନା ପାଇଁ ପ୍ରସ୍ତୁତ ଚିଠା ଜମି ପ୍ରଦାନରେ ସହଯୋଗ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ । ସଂପୃକ୍ତ ଜମିର କୃଷି ଶ୍ରମିକ ମାନଙ୍କ ନିମନ୍ତେ ଦୈନିକ ୩୧୫ ଟଙ୍କା ହିସାବରେ ଦୁଇ ଶହ ଦିନ ପାଇଁ ୬୩ ହଜାର ଟଙ୍କା, କ୍ଷୁଦ୍ର ଦୋକାନୀ, କାରିଗର ଓ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି । ସେହିଭଳି ସରକାରୀ, ଶ୍ରୀ ଜଗନ୍ନାଥଙ୍କ ଜମି ଓ ମଠ ଯାଗାରେ ବେଆଇନ ଭାବେ ଘରକରି ବାସନକରୁଥିବା ବାସିନ୍ଦା ମାନଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ ହିସାବରେ ସଂପୃକ୍ତ ଗୃହର ମୂଲ୍ୟ, ଘର ନିର୍ମାଣ ସହାୟତା ଭାବେ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ୭୩ ହଜାର ଓ ସ୍ଥାନାନ୍ତର ଭତ୍ତା ଭାବେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଉକ୍ତ ଚିଠାରେ ଉଲ୍ଲେଖ ରହିଛି । ଜନଶୁଣାଣିରେ ସଂପୃକ୍ତ ବ୍ୟକ୍ତିବିଶେଷ ଉକ୍ତ ସହାୟତା ନେଇ ସେମାନଙ୍କ ମତାମତ ପ୍ରଦାନ କରିବା ସହ ଖୁସିବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଭୂ-ଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ତହସିଲଦାର ରବିନ୍ଦ୍ର ପ୍ରଧାନ, ଓଡିଶା ସେତୁ ନିର୍ମାଣ ନିଗମ ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢୀ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଖଦେବ ସାହୁ ସଂପୃକ୍ତ ଅଞ୍ଚଳର ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 + nineteen =