ଆଗାମୀ ରଣନୀତି ପ୍ରସ୍ତୁତି ଚୁଡ଼ାନ୍ତ କରିବା ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ୱତନ୍ତ୍ର ବୈଠକ

0 45

ଗଞ୍ଜାମ : ବ୍ରହ୍ମପୁର ମହାନଗର ସନ୍ନିକଟ ଅଞ୍ଚଳ ଏବଂ ପାର୍ଶ୍ୱବର୍ତ୍ତୀ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରିବା ଉଦ୍ଦେଶ୍ୟରେ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ନୂତନ ମନୋନୀତ କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଜରୁରୀ ବୈଠକ ଆଗାମୀ ରଣନୀତି ପ୍ରସ୍ତୁତି ଚୁଡ଼ାନ୍ତ କରିବା ନିମନ୍ତେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଗୋବିନ୍ଦ ବିହାର ସ୍ଥିତ ଶାନ୍ତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଗତ ସାଧାରଣ ପରିଷଦ ବୈଠକ ଦ୍ୱାରା ମନୋନୀତ ହୋଇଥିବା ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଯିବା ସହ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ସଫଳ ପ୍ରଚେଷ୍ଟା ଦ୍ୱାରା କମିଟି ଆହୁରି ଅଧିକ ସୁସଂଗଠିତ ଓ ଶକ୍ତିଶାଳୀ ହୋଇ ଆଗାମୀ କାର୍ଯ୍ୟ ଓ ଆନ୍ଦୋଳନକୁ ଆଗେଇନେବାରେ ସକ୍ଷମ ହେବ ବୋଲି ବୈଠକରେ ସଭାପତି ମତ ରଖି ଆଶା ପ୍ରକାଶ କରିଥିଲେ । ହାଇକୋର୍ଟରେ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ସହର ତଥା ମହାନଗର ସନ୍ନିକଟ ତଳି ଅଞ୍ଚଳର ୧୮ ଟି ପଞ୍ଚାୟତକୁ ମହାନଗର ନିଗମରେ ମିଶ୍ରଣ କରିବା ନେଇ ଆଇନଗତ ପଦକ୍ଷେପ ସ୍ୱରୂପ ରିଟ ପିଟିସନ ଦାଖଲ କରାଯାଇଥିବା ନେଇ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ଯେ କୌଣସି ମୁହୂର୍ତ୍ତରେ କେସ ଶୁଣାଣି ହୋଇପାରେ କାରଣ କୋର୍ଟ ଛୁଟି ଥିବାରୁ ଶୁଣାଣିରେ ସାମାନ୍ୟ ବିଳମ୍ବ ହେଉଥିବା ଜଣାପଡିଛି । କୋର୍ଟରେ କେସ ଦାଖଲ ହେଇଥିବାରୁ କମିଟି ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପନ୍ଥାରେ ସାମାନ୍ୟ ପରିବର୍ତ୍ତନ ଆଣିଛି । ଆସନ୍ତା ୨ ତାରିଖ ଛୁଟି ଦିନ ଥିବାରୁ ୩ ତାରିଖ ଦିନ କମିଟି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ ସଭା ଆୟୋଜନ କରିବ ବୋଲି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମିଶ୍ରଣ ପ୍ରସଙ୍ଗ ପକ୍ରିୟାଟି ହାଇକୋର୍ଟଙ୍କ ଦ୍ୱାରକୁ ଚାଲିଯାଇଥିବାରୁ କମିଟି ବଡ଼ ଧରଣର ଆନ୍ଦୋଳନ କର୍ଯ୍ୟକ୍ରମ ହାତକୁ ନେବା ପୂର୍ବରୁ କମିଟି ଉଚ୍ଚ ନ୍ୟାୟଳୟଙ୍କ ନିର୍ଣ୍ଣାୟକୁ ଅପେକ୍ଷା କରିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କମିଟି ଆଶା ପ୍ରକାଶ କରିଛି ଯେ ହାଇକୋର୍ଟ ନିଶ୍ଚିତ ଭାବରେ ମିଶ୍ରଣ ସପକ୍ଷରେ ନ୍ୟାୟ ଦେବେ ।
ଏଠାରେ ସୂଚନାଯୋଗ୍ୟ ଯେ ମହାନଗର ସନ୍ନିକଟ ଅଞ୍ଚଳ ଏବଂ ପାର୍ଶ୍ୱବର୍ତ୍ତୀ ପଞ୍ଚାୟତକୁ ନେଇ ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ନିଗମ ଗଠନ କରିବା ନିମିତ୍ତ ଦାବୀ ଜଣାଇ ମିଳିତ କ୍ରିୟାନୁଷ୍ଠାନ କମିଟି ଦୀର୍ଘ ବର୍ଷ ହେଲା ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଆସୁଛି ଏବଂ ସରକାରଙ୍କୁ ଜଣେଇ ଆସୁଛି । କିନ୍ତୁ ରାଜ୍ୟ ସରକାର ବ୍ରହ୍ମପୁର ମହାନଗର ନିଗମ ଦେଶର ସବୁଠୁ କ୍ଷୁଦ୍ର ମହାନଗର ନିଗମ ହୋଇଥିଲେ ସୁଦ୍ଧା ସହର ତଳି ଅଞ୍ଚଳ ବାସୀଙ୍କୁ ସାମିଲ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ମହାନଗର ନିଗମରେ ପରିଣତ କରିବାକୁ ପଦକ୍ଷେପ ନେବା ପରିବର୍ତ୍ତେ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଆସୁଛନ୍ତି ବ୍ରହ୍ମପୁର ମହାନଗର ନିଗମ ଏବଂ ସହର ତଳି ଅଞ୍ଚଳ ବାସିନ୍ଦାଙ୍କ ପ୍ରତି ସରକାରଙ୍କ ଏହି ଅସୂୟା ମନୋଭାବ ପ୍ରଦର୍ଶନ ଏବଂ ଅଣଦେଖା ଓ ଅନ୍ୟାୟ ବିରୋଧରେ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ଅଶ୍ମିଟାକୁ ଓ ଚେତନାକୁ କମିଟି ଜାଗ୍ରତ କରିବ । ପରିଶେଷରେ କମିଟି ଉପସଭାପତି ହରିହର ନାୟକ ଧନ୍ୟବାଦ ଅର୍ପଣ କରିବା ସହ ସହର ତଳି ଅଞ୍ଚଳ ଗୋବିନ୍ଦ ବିହାରର ବାସିନ୍ଦା ତଥା ଗୋବିନ୍ଦ ବିହାର ନାଗରିକ ପରିଷଦର ସଦସ୍ୟ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ନିଧନରେ ଏକ ଶୋକ ପ୍ରସ୍ତାବ ଆଗତ ପୂର୍ବକ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା । ଆଜିର ଏହି ବୈଠକରେ ସଭାପତିଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା, ଉପସଭାପତି ହରିହର ନାୟକ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ର, କାର୍ଯ୍ୟାଳୟ ସମ୍ପାଦକ ସୁଶାନ୍ତ କୁମାର ସାହୁ, ଯୁଗ୍ମ ସମ୍ପାଦକ ଟି . ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି ଭି ସାଗର, ସଂଯୋଜକ ସି ଏଚ ରାମକୃଷ୍ଣ ଦାସ, କୋଷାଧ୍ୟକ୍ଷ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ଉପଦେଷ୍ଟା ପ୍ରଫେସର ରଙ୍ଗନାଥ ମିଶ୍ର ଓ ଲକ୍ଷ୍ମଣ ପାତ୍ର ସାର୍‌ ଏବଂ କାର୍ଯ୍ୟକାରୀ ସଦସ୍ୟ ଗଣେଶ ଦାସ, ଅନ୍ତର୍ଯ୍ୟାମୀ ବେହେରା, ଅଜିତ୍‌ କୁମାର ପଟ୍ଟନାୟକ, ଅଶୋକ କୁମାର ପାଣିଗ୍ରାହୀ, ବସନ୍ତ କୁମାର ପଟ୍ଟନାୟକ, ମନୋରଞ୍ଜନ ପାଢ଼ୀ, ଡି ବସନ୍ତ କୁମାର ପଟ୍ଟନାୟକ, ଗଣେଶ ପଟ୍ଟନାୟକ, ହରିଚନ୍ଦ୍ର ବିଶୋଇ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 + eighteen =