ନୂଆଦିଲ୍ଲୀ : ଏବେ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ଉଭୟ କରୋନା ଓ ଓମିକ୍ରନ । ଓମିକ୍ରନ ଅତି ଭୟଙ୍କର ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଏଥିରେ ଅନେକଙ୍କର ପ୍ରାଣ ମଧ୍ୟ ଗଲାଣି । ଏହାର ମୁକାବିଲା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଥିଲେ ମଧ୍ୟ ସେଥିରୁ ଆଶାନୁରୂପ ଫଳ ମିଳୁନାହିଁ । ଓମିକ୍ରନର ସଂକ୍ରମଣ କ୍ଷମତା କରୋନା ତଥା ଡେଲଟା ଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ତାହା ମୁଖ୍ୟ ଚିନ୍ତାର କାରଣ ହୋଇଛି । ଏଭଳି ସ୍ଥିତିରେ ଏବେ ଚିନ୍ତା ବଢାଇଲା ଭଳି ଆଉ ଏକ ଖବର ଆସିଛି । ଆଗକୁ କରୋନା,ଡେଲଟା ଠାରୁ ଆହୁରି ଭୟଙ୍କର ପ୍ରଜାତିର କରୋନା ଭୂତାଣୁ ଆସିପାରେ । ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ବ୍ରିଟେନର ଜଣେ ବୈଜ୍ଞାନିକ । ଲଣ୍ଡନର କେମ୍ବ୍ରିଜ ଇନଷ୍ଟିଚ୍ୟୁଟର କ୍ଲିନିକାଲ ମାଇକ୍ରୋବାୟୋଲୋଜୀ ପ୍ରଫେସର ରବୀନ୍ଦ୍ର ଗୁପ୍ତା କହିଛନ୍ତି ଯେ ବିବର୍ତ୍ତନର ଭୁଲ ଯୋଗୁଁ ଓମିକ୍ରନ ପ୍ରଜାତି ସୃଷ୍ଟି ହୋଇଛି । ଏହା ଫୁସଫୁସକୁ କମ ଆକ୍ରାନ୍ତ କରୁଛି । କିନ୍ତୁ ଆଗକୁ ଯେ ଓମିକ୍ରନ ଏହିପରି ରହିବ, ତାହା କୁହାଯାଇପାରିବ ନାହିଁ । ଆଗକୁ ଆହୁରି ଭୟାନକ ପ୍ରଜାତି ସୃଷ୍ଟି ହେବାର ଆଶଙ୍କା ରହିଛି । ସମସ୍ତଙ୍କୁ ଓମିକ୍ରନ ହେଲେ ଆଣ୍ଟିବଡ଼ି ସୃଷ୍ଟି ହେବ ଓ କରୋନା ଚାଲିଯିବ ବୋଲି ଯେଉଁ କଳ୍ପନା କରାଯାଉଛି, ତାହା ଭୁଲ ପ୍ରମାଣିତ ହୋଇପାରେ । କାରଣ ଆଗକୁ ଏହି ଭୁତାଣୁ ନିଜକୁ ପରିବର୍ତ୍ତିତ କରିବାର ଆଶଙ୍କା ରହିଛି । ଏହି ନୂଆ ପ୍ରଜାତିର ଭୁତାଣୁ ଅଧିକ ସଂକ୍ରାମକ ଓ ଗୁରୁତର ହେବାର ଆଶଙ୍କା ଅଧିକ । ଏଥିପାଇଁ ସମସ୍ତଙ୍କୁ ଏବେଠୁ ସତର୍କ ହୋଇ ରହିବାକୁ ପଡ଼ିବ । ସଚେତନତା ଓ ସତର୍କତା ଅବଲମ୍ବନ ସବୁଠୁ ବଡ଼ ଅସ୍ତ୍ର । ଟିକାକରଣକୁ ଆହୁରି ଜୋରଦାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।