ଘୁ ଉଦୟଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ରଣକ୍ଷେତ୍ର ପ୍ରସ୍ତୁତ ହୋଇଗଲାଣି । ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ ଜିଲ୍ଲାପରିଷଦ ପ୍ରାର୍ଥୀ ପାଇଁ ରାଜନୈତିକ ଦଳଙ୍କୁ ପ୍ରାର୍ଥୀ ଖୋଜିବାକୁ ପଡୁଛି । ଜିଲ୍ଲା ପରିଷଦ ପ୍ରାର୍ଥୀ ହେବାକୁ ସମସ୍ତେ କୁନ୍ଥୁ କୁନ୍ଥୁ । ଦଳୀୟ ଟିକେଟରେ ଲଢ଼ିବେ ସିନା ହେଲେ ଲାଭ କିଛି ନାହିଁ । ମୁଣ୍ଡ ବଥା ଅଧିକ । ଖର୍ଚ୍ଚ ଅଧିକ ସମସ୍ୟା ଅଧିକ ଲାଭ ଶୂନ୍ । ଏହି ସବୁ କାରଣରୁ ରାଜନୈତିକ ଦଳଙ୍କୁ ପ୍ରାର୍ଥୀ ଖୋଜିବା ନିମନ୍ତେ କସରତ କରିବାକୁ ପଡୁଛି । ଅନ୍ୟପଟେ ଘୁ.ଉଦୟଗିରି ବ୍ଲକର ୫ନଂ ଜୋନ ଜିଲ୍ଲାପରିଷଦ ଆସନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଯୋଗୁଁ ମହିଳା ପ୍ରାର୍ଥୀ ବି ମିଳିବା ମୁସ୍କିଲ ହେଉଛି । କରୋନା କଟକଣାକୁ ନିର୍ବାଚନ କଟକଣା ଭିତରେ କିଏ ବି ପ୍ରାର୍ଥୀ ହେବାକୁ ଅମଙ୍ଗ ହେଉଥିବା ଜଣାପଡିଛି । ଅନ୍ୟ ପଷରେ ପଞ୍ଚାୟତ ଗୁଡିକରେ ସରପଞ୍ଚ ହେବା ପାଇଁ ମାଳମାଳ ପ୍ରାର୍ଥୀ । ସରପଞ୍ଚ ହେଲେ ଲାଭ ଅଛି,କ୍ଷମତା ଅଛି । ଏଣୁ ପ୍ରାର୍ଥୀଙ୍କ ସଂଖ୍ୟା ବଢୁଛି ।
ସେହିଭଳି ସ୍ଥାନୀୟ ବ୍ଲକରେ ସମିତି ସଭ୍ୟ ହେବା ନିମନ୍ତେ ବି କିଛି କମ ଆଶାୟୀ ନୁହନ୍ତି । ତାର କାରଣ ବ୍ଲକ ଅଧ୍ୟକ୍ଷା ଘୁ. ଉଦୟଗିରି ବ୍ଲକ ଅଧ୍ୟକ୍ଷ ପଦବୀଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ହେତୁ ବ୍ଲକ ଅଧ୍ୟକ୍ଷ ହେବା ଆଶାରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଗୋଟିଏ ଗୋଟିଏ ପଞ୍ଚାୟତରେ ୭ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ହେବା ନେଇ ସୂଚନା ମିଳିଛି । କିଛି ନେତା ନିଜ ପଞ୍ଚାୟତରେ ସମିଟିସଭ୍ୟ ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ହେବା ପରେ ଅନ୍ୟ ପଞ୍ଚାୟତକୁ ମୁହେଁଇଛନ୍ତି ନିର୍ବାଚନ ଲଢ଼ିବା ପାଇଁ । ସ୍ଥାନୀୟ ବ୍ଲକର ବହୁ ପୁରୁଖା ନେତା ନିର୍ବାଚନ ରେ ମୁଁହା ମୁହିଁ ହେବେ ।