ଜାଣନ୍ତୁ,ୟୁପିର ନିଶ ଥିବା ଏହି ମୁଖ୍ୟମନ୍ତ୍ରୀମାନଙ୍କ ସଂପର୍କରେ

0 68

ନୂଆଦିଲ୍ଲୀ : ରାଜନୀତିରେ ଉତ୍ତର ପ୍ରଦେଶ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ରାଜ୍ୟରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଏକ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଉ ତାହା ମୁଖ୍ୟମନ୍ତ୍ରୀ ଓ ନିଶକୁ ନେଇ । ୧୯୮୪ରେ ଏକ ହିନ୍ଦୀ ଫିଲ୍ମ ରିଲିଜ ହୋଇଥିଲା, ନାଁ ଥିଲା ଶରାବୀ । ଏଥିରେ ଅମିତାଭ ବଚ୍ଚନ ବାରମ୍ବାର କହୁଥାନ୍ତି- ମୁଚ୍ଛେ ହୋ ତୋ ନଥୁଲାଲ ଜୈସି,ବରନା ନା ହୋ । କଅଣ ହେଲା କେଜାଣି,ଏହି ଫିଲ୍ମ ପରଠୁ ୟୁପିରେ ନିଶ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଦେଖିବାକୁ ମିଳିଲା ନାହିଁ । ଆଗକୁ ବି ଦେଖିବାକୁ ମିଳିବ କି ନାହିଁ ସନ୍ଦେହ । ଏହା ଏକ ସଂଯୋଗ ହୋଇପାରେ,କିନ୍ତୁ ସତ । ଦୀର୍ଘ ୩୭ ବର୍ଷ ମଧ୍ୟରେ ରାଜ୍ୟକୁ ନିଶ ଥିବା ଏକ ମୁଖ୍ୟମନ୍ତ୍ରୀ ମିଳି ନାହାନ୍ତି । ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଗୋବିନ୍ଦ ବଲ୍ଲଭ ପନ୍ତ । ତାଙ୍କର ଘଞ୍ଚ ନିଶ ଥିଲା । ତାହା ଦେଖିବାକୁ ବଡ଼ ବିଚିତ୍ର । ତାଙ୍କ ନିଶ ପୂରା ମୁହଁକୁ ଆଚ୍ଛାଦିତ କରି ରଖୁଥିଲା । ସେ କଥା କହୁଥିବା ବେଳେ ନିଶ ଦୋହଳିଲା ଭଳି ଲାଗେ । ନିଶ ତାଙ୍କ ବ୍ୟକ୍ତିତ୍ୱର ଏକ ପ୍ରମୁଖ ଅଂଶ ଥିଲା କହିଲେ ଭୁଲ ହେବ ନାହିଁ । ସେ ୧୯୪୬ରୁ ୧୯୫୪ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟନ୍ତ୍ରୀ ଥିଲେ । ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣାନନ୍ଦ ୧୯୫୪ରୁ ୧୯୬୦ ପର୍ଯ୍ୟନ୍ତ ଶାସନରେ ଥିଲେ । ଏହି ମୁଖ୍ୟମନ୍ତ୍ରୀଙ୍କ ଠାରେ ଦୁଇଟି ଖାସ୍‌ କଥା ଦେଖିବାକୁ ମିଳିଥିଲା । ପ୍ରଥମଟି ହେଉଛି,ସେ ଶବ୍ଦର ଯାଦୁଗର ଥିଲେ । ତାହା ଲୋକଙ୍କୁ ଆକର୍ଷିତ କରୁଥିଲା । ଦ୍ୱିତୀୟଟି ହେଉଛି ତାଙ୍କ ମୁଖମଣ୍ଡଳରେ ଥିବା ମୋଟା ଫ୍ରେମର ଚଷମା ଓ ହାଲକା ନିଶ । ସେ ଯେତେବେଳେ ଟୋକା ଥିଲେ,ସେତେବେଳେ ପୂରା ଜମେଇକି ନିଶ ରଖୁଥିଲେ । ଆଉ ଜଣେ ମୁଖ୍ୟମନ୍ତ୍ରୀ ଥିଲେ ଚୌଧୁରୀ ଚରଣ ସିଂହ । ସେ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପ୍ରଥମେ ୧୯୬୭ରୁ ୬୮ ଓ ପରେ ୧୯୭୦ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ନାଁ ସିନା ଚୌଧୁରୀ,କିନ୍ତୁ ନିଶ ତାଙ୍କର ଖୁବ ହାଲକା ଥିଲା । ରାଜନୈତିକ ପଣ୍ଡିତମାନେ ଆଜି ବି ଏକଥା ଜୋରଦେଇ କହନ୍ତି ଯେ ରାଜନୀତିରେ ହାଲକା ବା ପତଳା ନିଶ ରଖିବାର ଟ୍ରେଣ୍ଡ ବା ଫ୍ୟାସନ ସେ ହିଁ ଆରମ୍ଭ କରିଥିଲେ । ଆଉଜଣେ ମୁଖ୍ୟମନ୍ତ୍ରୀ ହେଲେ ହେମବତୀ ନନ୍ଦନ ବହୁଗୁଣା । ଭାରତ ଛାଡ଼ ଆନ୍ଦୋଳନରେ ତାଙ୍କର ଭୂମିକା ଏତେ ପ୍ରଚଣ୍ଡ ଓ ପ୍ରଭାବଶାଳୀ ଥିଲା ଯେ ଇଂରେଜ ଶାସକ ତାଙ୍କୁ ଜୀବନ୍ତ କିମ୍ବା ମୃତଭାବେ ଧରାଇଦେବା ପାଇଁ ୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ତାଙ୍କୁ ଚିହ୍ନିବାର ଖାସ ଦୁଇଟି ପ୍ରତୀକ ହେଉଛି ଗାନ୍ଧି ଟୋପି ଓ ନିଶ । ତାଙ୍କ ନିଶ ବେଶ୍‌୍‌ ଆକର୍ଷଣୀୟ ଥିଲା । ସେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ରାଜ୍ୟର ଅନ୍ୟତମ ମୁଖ୍ୟମନ୍ତ୍ରୀ ରାମନରେଶ ଯାଦବ ଜଣେ ଲୋକପ୍ରିୟ କୃଷକ ନେତା ଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ଚରଣ ସିଂହଙ୍କର ବଡ଼ ଭୂମିକା ଥିଲା । ସେ ମୃତ୍ୟୁ ପର୍ଯ୍ୟନ୍ତ ନିଶ ରଖିଥିଲେ । ତେବେ ଭିପି ସିଂହଙ୍କ କଥା ପୂରା ନିଆରା ଥିଲା । ତାଙ୍କ ନିଶର ଆକୃତି ଓ ଚେହେରା ଅନ୍ୟମାନଙ୍କଠାରୁ ଭିନ୍ନ ଥିଲା । ତାହାକୁ ଷ୍ଟାଇଲିସ ନିଶ କୁହାଯାଉଥିଲା । ସରୁ ଧାର ଭଳି ନିଶ ଯେତିକି ଆକର୍ଷକ ଥିଲା,ସେତିକି ରୋମାଣ୍ଟିକ ମଧ୍ୟ ଥିଲା । କୁହାଯାଏ,ସେ କୁଆଡେ଼ କେତେକ ବିଦେଶୀ ନେତାଙ୍କ ନିଶକୁ ଅନୁକରଣ କରି ଏଭଳି ନିଶ ରଖିଥିଲେ । ସେ ୧୯୮୦ରୁ ୧୯୮୨ ଯାଏଁ ମୁଖ୍ୟମନ୍ତ୍ରୀ ଥଲେ । ରାଜ୍ୟର ଶେଷ ନିଶଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀପତି ମିଶ୍ରା । ତେବେ ଆହୁରି କେତେକ ମୁଖ୍ୟମନ୍ତ୍ରୀ ଅଛନ୍ତି,ଯେଉଁମାନେ ପ୍ରଥମେ ନିଶ ରଖି ପରେ କାଟିଦେଇଥିଲେ । ତେଣୁ ଦେଖାଯାଉ,ଆଗକୁ ନିଶଥିବା ମୁଖ୍ୟମନ୍ତ୍ରୀ ମିଳିବେ କି ନିଶବିହୀନ ମୁଖ୍ୟମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

13 − 12 =