ଲଣ୍ଡନ: ଅଡୁଆରେ ଫସି ଫସି ଯାଉଛନ୍ତି ବିଜୟ ମାଲ୍ୟା । ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ବଙ୍ଗଳାରୁ ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଏ ନେଇ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବାବେଳେ ଏବେ ବେଘର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁଇସ୍ ବ୍ୟାଙ୍କ ୟୁବିଏସ୍ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବାବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବାବେଳେ ତାଙ୍କ ଆବେଦନ ଅଗ୍ରାହ୍ୟ ହୋଇଯାଇଛି ।
ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ଆଲିଶାନ ଫ୍ଲାଟ୍ରେ ମାଲ୍ୟାଙ୍କ ୯୫ ବର୍ଷୀୟା ମାଆ ଲଳିତା ରହୁଛନ୍ତି। ଏହାର ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଉଛି । ମାଲ୍ୟାଙ୍କ ଉପରେ ସୁଇସ୍ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବାବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ସୁଝିବାକୁ ଅଧିକ ସମୟ ଦେଇ ହେବ ନାହିଁ । ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରିବା ପାଇଁ ନିଷ୍ପତ୍ତି ହୋଇଛି ।ସୂଚନାଅନୁସାରେ, କିଙ୍ଗଫିସର୍ ସମେତ ଅନ୍ୟ ବ୍ୟବସାୟ ପାଇଁ ୧୩ରୁ ଊର୍ଦ୍ଧ୍ବ ବ୍ୟାଙ୍କରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା । କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ ମାଲ୍ୟା । ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହି ଆସୁଥିଲେ।