ପ୍ରଥମ ଦିନିକିଆରେ ହାରିଲା ଭାରତ

0 79

ପାର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଆଜିଠୁ ଆରମ୍ଭ ହୋଇଛି ଏବଂ ଆରମ୍ଭରୁ ହିଁ ପ୍ରଶଂସକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ । ବୋଲରଙ୍କ ଦମରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ୫୦ ଓଭରରେ ୪ ୱିକେଟ୍‌ ହରାଇ ୨୯୬ ରନ୍‌ କରିଥିଲା । ଜବାବରେ ଭାରତ ୮ ୱିକେଟ୍‌ ହରାଇ ୨୬୫ ରନ୍‌ କରି ପରାସ୍ତ ହୋଇଛି । ୨୯୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କ୍ୟାପଟେନ୍‌ ତଥା ଓପ୍ନର ଲୋକେଶ ରାହୁଲ୍‌ ମାତ୍ର ୧୨ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ତେବେ କମବ୍ୟାକ୍‌ କରିଥିବା ଶିଖର ଧୱନ୍‌ ଓ ସମସ୍ତ ଫର୍ମାଟରୁ କ୍ୟାପଟେନ୍‌ ପଦ ଛାଡିଥିବା ବିରାଟ୍‌ କୋହଲି ଦମଦାର ବ୍ୟାଟିଂ କରିଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍‌ ପାଇଁ ୯୨ ରନର ଭାଗିଦାରୀ କରିଥିଲେ । ଧୱନ୍‌ ଓ କୋହଲିଙ୍କ ଆଉଟ୍‌ ପରେ ଭାରତର ବ୍ୟାଟିଂ ଲାଇନ୍‌ ଭୁଶୁଡି ଯାଇଥିଲା । ଧୱନ୍‌ ୮୪ ବଲରେ ୧୦ ଚୌକା ସହ ୭୯ ଓ କୋହଲି ୫୧ (୬୩ ବଲ୍‌, ୩ ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ । ଋଷଭ ପନ୍ତ (୧୬), ଶ୍ରେୟସ ଆୟର୍‌ (୧୭), ଡେବ୍ୟୁଟାଣ୍ଟ ଭେଙ୍କଟେଶ ଆୟର୍‌ (୨), ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ (୭) ଓ ଭୁବନେଶ୍ୱର କୁମାର କୁମାର (୪) ନିରାଶ କରିଥିଲେ । ତେବେ ଶାର୍‌ଦ୍ଦୁଲ ଠାକୁର ନିଜର ବ୍ୟାଟିଂ ପରାକ୍ରମ ଦେଖାଇଥିଲେ ହେଁ, ଭାରତକୁ ଜିତାଇବା ପାଇଁ ତାହା ଯଥେଷ୍ଟ ନଥିଲା । ଶାର୍‌ଦ୍ଦୁଲ ଓ ଯଶପ୍ରୀତ ବୁମ୍ରା ନବମ ୱିକେଟ୍‌ ପାଇଁ ୫୧ ରନ୍‌ ଯୋଡିଥିଲେ । ଶାର୍‌ଦ୍ଦୁଲ ଅପରାଜିତ ୫୦ (୪୩ ବଲ୍‌, ୫ ଚୌକା, ୧ ଛକା) ଓ ବୁମ୍ରା ୧୪ ରନ୍‌ କରି ଅପରାଜିତ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ତବରେଜ ଶାମସୀ ଓ ଆଣ୍ଡିଲେ ଫେଲୁକୱାୟୋ ୨ଟି ଲେଖାଏ ୱିକେଟ୍‌ ହାସଲ କରିଥିଲେ । ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଭାରତର ଭାଇସ୍‌-କ୍ୟାପଟେନ୍‌ ତଥା ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା ଘରୋଇ ଦଳର ଓପ୍ନର ଜାନେମନ୍‌ ମଲାନ୍‌ (୬)ଙ୍କୁ ଆଉଟ୍‌ କରିଥିଲେ । ଅନ୍ୟତମ ଓପ୍ନର କ୍ୱିଣ୍ଟନ୍‌ ଡି’କକ୍‌ (୨୭) ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ତାଙ୍କୁ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ କ୍ଲିନ୍‌ ବୋଲ୍ଡ କରିଥିଲେ । ଟେଷ୍ଟ ସିରିଜରେ ନୈରାଶ୍ୟଜନକ ବ୍ୟାଟିଂ କରିଥିବା ଏଡେନ୍‌ ମାର୍କରମ୍‌ (୪) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍‌ ହୋଇଥିଲେ । ୬୮ ରନରେ ୩ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ସଂକଟରେ ପଡିଥିବା ବେଳେ ବାଭୁମା ଓ ଡୁସେନ୍‌ ଜବରଦସ୍ତ ବ୍ୟାଟିଂ କରିଥିଲେ । ଡୁସେନ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ଗୋଟିଏ ପଟେ ରନ୍‌ ଗତି ବଢାଇଥିବା ବେଳେ ବାଭୁମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ଦୁହେଁ ଧୀରେ ଧୀରେ ଦଳର ରନ୍‌ ରେଟ୍‌ ଓଭରପିଛା ୪ ଏବଂ ପରେ ୫କୁ ବଢାଇଥିଲେ । ବାଭୁମା ୭୬ ବଲରେ ଓ ଡୁସେନ୍‌ ୪୯ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ଦୁଇ ଯୋଡିକୁ ଭାଙ୍ଗିବା ପାଇଁ ରାହୁଲ୍‌ ସବୁ ପ୍ରୟାସ ବୃଥା ଯାଇଥିଲା । ଏହିପରି ଭାବେ ଦୁହେଁ ଚତୁର୍ଥ ୱିକେଟ୍‌ ପାଇଁ ୨୦୪ ରନର ବଡ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ମଜଭୁତ୍‌ ସ୍କୋରରେ ପହଞ୍ଚାଇଥିଲେ । ଉଭୟ ବାଭୁମା ଓ ଡୁସେନ୍‌ ସେମାନଙ୍କର ଦ୍ୱିତୀୟ ଦିନିକିଆ ଶତକ ପୂରଣ କରିବାରେ ସଫଳ ହୋଇଥିଲେ । ଏହି ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ବୁମ୍ରା । ବାଭୁମା ବ୍ୟକ୍ତିଗତ ୧୧୦ (୧୪୩ ବଲ୍‌, ୮ ଚୌକା) ରନ୍‌ କରି ରାହୁଲଙ୍କ ଦ୍ୱାରା କ୍ୟାଚ୍‌ ହୋଇଥିଲେ । ତେବେ ଡୁସେନ୍‌ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୨୯୬ ରନରେ ପହଞ୍ଚାଇଥିଲେ ।

hiranchal ad1
Leave A Reply

Your email address will not be published.

twelve − seven =