ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ମିଲର୍ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ଓ ଗୋଷଣୀ ବ୍ଲକ୍ର ମିଲର୍ ମାନଙ୍କ ସହ ଜିଲ୍ଲା ଯୋଗାଣ ଅଧିକାରୀ ଶତ୍ରୁଘ୍ନ ଗିରି , ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ପାତ୍ର, ଧାନ ସଂଗ୍ରହ ଅଧୀକ୍ଷକ ମାନେ ଉପସ୍ଥିତ ରହି ଧାନଉଠାଣ ସମ୍ପର୍କିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମିଲର୍ ମାନେ ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନର ମିଲିଙ୍ଗ ଓ ତାର କ୍ରୟ ସମ୍ପର୍କିତ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଧାନକ୍ରୟର ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହ ଚାଷୀମାନଙ୍କ ଧାନ କ୍ରୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।