ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି,5 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

0 76

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।
ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।
ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଅଧିକାରୀ, ଯଥା – ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡୀ ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ ।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏହି ୫ ଜଣଙ୍କ ମଧ୍ୟରୁ ମୟୂରଭଂଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏ ର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ସନ୍ତୋଷ କୁମାର ଦାସଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ତାଙ୍କ ବିରୋଧରେ ୨.୮୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଆୟ ବହିର୍ଭୁତ ସମ୍ପତ୍ତି ମଧ୍ୟରେ ୪୧.୭୭ ଲକ୍ଷ ଟଙ୍କା ତାଙ୍କ ଘରୁ ନଗଦ ଜବତ କରାଯାଇଥିଲା । ତାଙ୍କର ଭୁବନେଶ୍ବର ବରଗଡରେ ଏକ ଦୁଇତାଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ ବିଲ୍ଡିଂ ରହିଛି । ଏହା ସହିତ ବାଲେଶ୍ବରରେ ୩ଟି ପ୍ଲଟ୍ ମଧ୍ୟ ଅଛି । ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଶ୍ରୀମତୀ ସରଳା ଦେଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅନୁସଂଧାନରୁ ଜଣାଯାଇଛି ଯେ ତାଙ୍କର ଭୁବନେଶ୍ବରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ପ୍ଲଟ ଓ ଜଗତସିଂହପୁରରେ ଦୁଇଟି ପ୍ଲଟ ରହିଛି । ତା ସହିତ ଜଗତସିଂପୁରରେ ଗୋଟିଏ ଦୁଇତାଲା ବିଲ୍ଡିଂ ଅଛି । ଏହାସହିତ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ପ୍ରତିମା ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନ୍‌ସପେକ୍ଟର ଶ୍ରୀ ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର (Revenue Supervisor) ଶ୍ରୀ ହୃଦାନନ୍ଦ ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ, ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ଅସାଧୁ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ମୋ ସରକାର ତଥା ଅନ୍ୟ ସୂତ୍ରରୁ ମିଳିଥିବା feedbackକୁ ମଧ୍ୟ ବିଚାର କୁ ନିଆଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ନିକଟରେ ଜଣେ ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ଓ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

hiranchal ad1
Leave A Reply

Your email address will not be published.

one × 4 =