ଆସନ୍ତାକାଲି ଶେଷ ଦିନିକିଆ, କ୍ଲିନସୁଇପ ଲକ୍ଷ୍ୟରେ ଭାରତ

0 70

ଅହମ୍ମଦାବାଦ : ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ତୃତୀୟ ଦିନିକିଆ ଖେଳାଯିବ । ଭାରତ ଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚ୍‌ ଜିତି ଇଣ୍ଡିଜ ବିପକ୍ଷରେ କ୍ଲିନ୍‌ ସୁଇପ କରିବାକୁ ଲକ୍ଷ୍ୟ ରଖଛି । ସେହିପରି ଇଣ୍ଡିଜ ଦଳ ଶେଷ ଦିନିକିଆ ଜିତି ଟି-୨୦ ସିରିଜ ପୂର୍ବରୁ ଲୟକୁ ଫେରିବାକୁ ନିହାତି ଚାହିଁବ । ଗତ ଦୁଇଟି ମ୍ୟାଚରେ କୋଭିଡ କାରଣରୁ ଶିଖର ଧାୱନ ଖେଳିନଥିବାରୁ ଆସନ୍ତାକାଲି ସେ ଖେଳିବା ନିଶ୍ଚିତ । ଏ ସଂପର୍କରେ ରୋହିତ ଶର୍ମା ମଧ୍ୟ ଆଗୁଆ ସୂଚନା ଦେଇସାରିଛନ୍ତି । ସେ ଦଳକୁ ଫେରିଲେ ଦୀପକ ହୁଡାଙ୍କୁ ବାହାରେ ବସିବାକୁ ପଡିପାରେ ନଚେତ୍‌ ପନ୍ତଙ୍କୁ ବିଶ୍ରାମ ଦିଆଯାଇ କେଏଲ ରାହୁଲ ଉଇକେଟ କିପିଂ କରିପାରନ୍ତି । ତେବେ ରୋଚକର କଥା ହେଲା ଯେ, ଆସନ୍ତାକାଲି ମ୍ୟାଚରେ ଶିଖରଙ୍କ ପ୍ରତ୍ୟାବର୍ତ୍ତନ ପରେ କେଉଁ ଖେଳାଳି ବାହାରେ ବସିବେ । ପ୍ରଥମ ମ୍ୟାଚ ଖେଳିନଥିବା କେଏଲ ରାହୁଲ ଗତ ମ୍ୟାଚରେ ଭଲ ବ୍ୟାଟିଂ କରିଥିବା ବେଳେ ଦୀପକ ହୁଡା ମଧ୍ୟ ଉଭୟ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ ଗତକାଲିର ମ୍ୟାଚରେ ଅର୍ଦ୍ଧଶତକ ଅର୍ଜନ କରି ତାଙ୍କ ସ୍ଥାନ ସୁରକ୍ଷିତ କରିଛନ୍ତି । ଅନ୍ୟ ପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବା ନିଶ୍ଚିତ । ଅନ୍ୟ ପକ୍ଷରେ ଶ୍ରେୟସ ଆୟରଙ୍କୁ ପୁଣି ଥରେ ବାହାରେ ବସିବାକୁ ପଡିପାରେ ।
ୱେଷ୍ଟଇଣ୍ଡିଜକୁ ୧୭୬ ଏବଂ ୧୯୩ ରନରେ ସୀମିତ ରଖିଥିବା ଭାରତୀୟ ବୋଲରମାନେ ପ୍ରଥମ ଦୁଇଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ସିରିଜ୍‌ ଜିତିବା ପରେ ଦଳ ପରିଚାଳନା କିଛି ପରିବର୍ତ୍ତନ ଆଣି ନୂତନ ଖେଳାଳିଙ୍କୁ ସୁଯୋଗ ଦେଇପାରେ । ବାମହାତୀ ସ୍ପିନର କୁଲଦୀପ ଯାଦବ ଆଘାତରୁ ଫେରିବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତାକାଲି ମ୍ୟାଚରେ କୁଲଦୀପ କିମ୍ବା ରବି ବିଷ୍ଣୁଙ୍କୁ ସୁଯୋଗ ମିଳିପାରେ । ଯଦି ଏହା ଘଟେ, ୟୁଜବେନ୍ଦ୍ର ଚହଲ କିମ୍ବା ୱାଶିଂଟନ୍‌ ସୁନ୍ଦରଙ୍କ ମଧ୍ୟରୁ ଜଣକୁ ବାହାରେ ବସିବାକୁ ପଡିପାରେ । ଇନ୍ଦୋର ଫାଷ୍ଟ ବୋଲର ଆଭେଶ ଖାନ ମଧ୍ୟ ଏକ ସୁଯୋଗ ପାଇବାକୁ ଅପେକ୍ଷା କରିଛନ୍ତି । ଗତକାଲିର ମ୍ୟାଚରେ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଚାରିଟି ୱିକେଟ୍‌ ନେଇଥିଲେ ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ ଭଲ ବୋଲିଂ କରିଥିଲେ ତେଣୁ ତାଙ୍କୁ ପୁଣିଥରେ ସୁଯୋଗ ମିଳିପାରେ ।
ଯଦି ଆଭେଶ ଖେଳନ୍ତି ତେବେ ମହମ୍ମଦ ସିରାଜଙ୍କୁ ବାହାରେ ରହିବାକୁ ପଡିବ । ଅନ୍ୟପଟେ ୱେଷ୍ଟଇଣ୍ଡିଜକୁ ଆସନ୍ତାକାଲିର ମ୍ୟାଚରେ ଜିତିବାକୁ ହେଲେ ଅଧିନାୟକ କିରନ ପୋଲାର୍ଡ, ଜେସନ ହୋଲ୍ଡରଙ୍କୁ ଦାୟିତ୍ୱ ସହ ବ୍ୟାଟିଂ କରିବାକୁ ପଡିବ । ସେହିପରି ସାଇ ହୋପ, ବ୍ରାଣ୍ଡାନ କିଙ୍ଗ ଏବଂ ନିକୋଲାସ ପୁରାନଙ୍କ ଠାରୁ ଭଲ ପ୍ରଦର୍ଶନ ମଧ୍ୟ ଆଶା କରାଯାଏ । ଦ୍ୱିତୀୟ ମ୍ୟାଚରେ ଦ୍ରୁତ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ସ୍ପିନରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିନଥିଲେ ।

hiranchal ad1
Leave A Reply

Your email address will not be published.

13 + twenty =