ନିର୍ବାଚନ ପ୍ରଚାର ବେଳେ ରାଇକିଆ ବ୍ଲକ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ, ୩ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାର ଜୋରସୋର୍‌

0 91

ଘୁ.ଉଦୟଗିରି/ରାଇକିଆ,୨୨/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସମସ୍ତ ପଞ୍ଚାୟତ ତଥା ଜୋନ-୧୭ ଓ ୧୮ ଜିଲ୍ଲା ପରିଷଦ ଆସନ ନିମନ୍ତେ ଆସନ୍ତା ୨୪ ତାରିଖରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ,ଓ ଜିଲ୍ଲା ପରିଷଦ ଆସନ ନିମନ୍ତେ ହେବ ପଞ୍ଚମ ପର୍ଯ୍ୟାୟ ମତଦାନ । ସେଥିପାଇଁ ଗତକାଲି ସମସ୍ତ ରାଜନୈତିକ ଦଳ ନିଜ ପ୍ରାର୍ଥୀମାନଙ୍କ ବିଜୟ ନିମନ୍ତେ ନିର୍ବାଚନୀ ସଭା ଓ ରାଲିକରି ପ୍ରଚାର କରିଥିଲେ । ଶେଷ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ନିମନ୍ତେ ସମସ୍ତ ଦଳର ଦଳୀୟ କର୍ମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ରାଇକିଆଠାରେ ସାପ୍ତାହିକ ହାଟ ଥିବା ବେଳେ ୩ ପ୍ରମୁଖ ଦଳର ଶେଷ ପର୍ଯ୍ୟାୟ ପ୍ରଚାର ଯୋଗୁଁ ସ୍ଥାନୀୟ ଅଞ୍ଚଳ ଜନଗହଳିପୂର୍ଣ୍ଣ ରହିଥିଲା । ରାଇକିଆ ବ୍ଲକ ବିଜେପି ଦଳ ପକ୍ଷରୁ ବସଷ୍ଟାଣ୍ଡ ଠାରେ ଏକ ନିର୍ବାଚନୀ ସଭାରେ ରାଜ୍ୟ ସଭାପତି ସମିର ମହାନ୍ତି ଯୋଗଦେଇ ଉଭୟଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ/ପ୍ରାର୍ଥିନୀ ତଥା ସନ୍ତୋଷ ଲେଙ୍କା ଏବଂ ଜୁଲିମା ଦଳବେହେରାଙ୍କୁ ବିଜୟୀ କରିବା ନିମନ୍ତେ ସ୍ଥାନୀୟ ଭୋଟରଙ୍କୁ ନିବେଦନ କରିଥିଲେ । ବିଜେପି ପକ୍ଷରୁ ବାଇକରାଲି, ପଦଯାତ୍ରା ସାଙ୍ଗକୁ ବସଷ୍ଟାଣ୍ଡରେ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିବାବେଳେ ବିଜୁ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ମଧ୍ୟ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ଜି. ଉଦୟଗିରି ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ୧୭ ନମ୍ବର ଜୋନର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ସୁନନ୍ଦା ବେହେରା ଓ ୧୮ ନମ୍ବର ଜୋନ ପ୍ରାର୍ଥିନୀ ମମତାରାଣୀ ପ୍ରଧାନଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ଭୋଟ ନିବେଦନ କରିଥିଲେ । ଠିକ୍‌ ସେହି ସମୟରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଆଖପାଖ ବିଭିନ୍ନ ଅଞ୍ଚଳ ସହ ରାଇକିଆ ପ୍ରମୁଖ ସ୍ଥାନରେ ରାଲିର ଅୟୋଜନ କରାଯାଇଥିଲା । ଜୋନ- ୧୭ ଜିଲ୍ଲା ପରିଷଦ ଆସନ ନିମନ୍ତେ ଦଳୀୟପ୍ରାର୍ଥୀ ସତ୍ୟବାନ ପାତ୍ରଙ୍କ ପାଇଁ ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ରାଲିରେ ସାମିଲ୍‌ହୋଇ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ସମସ୍ତ ନେତା ଓ କର୍ମୀ ଭୋଟରମାନଙ୍କୁ ଭୋଟ ଦେଇ ସମର୍ଥନ ନିମନ୍ତେ ନିବେଦନ କରିଥିଲେ । ଏହି ସମୟରେ ବିଜେପି ପକ୍ଷରୁ ବସଷ୍ଟାଣ୍ଡ ନିକଟରେ ଆୟୋଜିତ ସଭାର ଅଳ୍ପ କିଛି ଦୂରରେ ରାଲିରେ ଯାଉଥିବା ବିଜେଡି ଦଳର କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାସହ ହାତାହାତି ହୋଇଥିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାସହ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରିଥିଲେ । ସ୍ଥାନୀୟ ପୋଲିସର ହସ୍ତକ୍ଷେପ ପରେ ବଡ଼ ଅଘଟଣ ଟଳି ଯାଇଥିଲା । ରାଇକିଆରେ ଗତକାଲି ସାପ୍ତାହିକ ହାଟ ସାଙ୍ଗକୁ ଶେଷ ନିର୍ବାଚନୀ ପ୍ରଚାର ଥିବାରୁ ଜନସାଧାରଣଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

1 + 3 =