ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀ ମୃତ

0 260

ବୌଦ୍ଧ,୨୨/୨– ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଛକ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତକ ଜଣକ ହେଲେ ଶ୍ୟାମସୁନ୍ଦରପୁର ଗ୍ରାମର ୫୦ ବର୍ଷୀୟ ସରଜୁ ମାହାର । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଶ୍ୟାମସୁନ୍ଦରପୁର ଗ୍ରାମର ସରଜୁ ମାହାର କୁକୁଡା ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ଆଜି ସକାଳେ ସେ କୁକୁଡା କିଣିବାପାଇଁ ହରେକୃଷ୍ଣପୁର ଯାଉଥିବାବେଳେ ଏକ ଆମ୍ବୁଲାନସ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ ୪ ଘଣ୍ଟାଧରି ଯାନବାହନ ସବୁ ଅଟକି ରହିଥିଲା । ଖବରପାଇ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାପରେ ରାସ୍ତାରୋକ ହଟିଥିଲା । ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସରୁ ୧୦ହଜାର ଟଙ୍କା ଓ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା । ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରିରଖିଛି ।

hiranchal ad1
Leave A Reply

Your email address will not be published.

sixteen − 11 =