ଭଦ୍ରକ: ଆଜି ମହାଶିବରାତ୍ରୀ ଉପଲକ୍ଷେ ମହାବିନାୟକ ଦର୍ଶନ ପାଇଁ ବାଇକରେ ଯାଉଥିବା ନବବିବାହିତ ଦମ୍ପତି ସଡକ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି । ବୟାବନାପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମର ନିରୋଦ ପଣ୍ଡା ବାଇକ ଯୋଗେ ମହାବିନାୟକ ଦର୍ଶନ ପାଇଁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର ଜାରକା ନିକଟରେ ପଛରୁ ହାଇୱା ଧକ୍କା ଦେଇଥିଲା । ଫଳରେ ଚାଳକ ନିରୋଦ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀ ଯାଜ୍ଞସେନୀ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଉଭୟଙ୍କୁ ଜାରକା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଯାଜ୍ଞସେନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ନିରୋଦଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଯାଜ୍ଞସେନୀଙ୍କ ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ଯାଜପୁର ଅଣାଯାଇଛି । ନିରୋଦଙ୍କ ବିଭାଘର ଗତ ପେବୃୟାରୀ ୫ ତାରିଖରେ ହୋଇଥିଲା । ବିଭାଘରକୁ ମାସେ ପୁରି ନାହିଁ । ଇଶ୍ୱର ଦର୍ଶନ କାଳ ହୋଇ ମାତ୍ର ୨୭ ବର୍ଷର ପତ୍ନୀଙ୍କ ପ୍ରାଣ ଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।