ଦୁବାଇ : ଶ୍ରୀଲଙ୍କା ବିପକ୍ଷରେ ନିକଟରେ ଖେଳାଯାଇଥିବା ଟି -୨୦ ଆନ୍ତର୍ଜାତୀୟ ସିରିଜ୍ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ ପାଇଁ ସ୍ୱତନ୍ତ୍ର ଥିଲା । ଶ୍ରେୟସ୍ କ୍ରମାଗତ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । କେବଳ ଏତିକି ନୁହେଁ, ସେ ପୁରା ଟି-୨୦ ସିରିଜରେ ଅପରାଜିତ ରହିଛନ୍ତି । ତିନୋଟି ମ୍ୟାଚ୍ରେ ସେ ଥରେ ମଧ୍ୟ ଆଉଟ ହୋଇନାହାନ୍ତି । ଏହାର ଫାଇଦା ତାଙ୍କୁ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ମିଳିଛିି । ସେ ୨୭ଟି ସ୍ଥାନକୁ ଉନ୍ନିତ ହୋଇ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି ।
ଭାରତୀୟ ଦଳ ଶ୍ରୀଲଙ୍କାକୁ ୩-୦ରେ ପରାସ୍ତ କରିଛି ଏବଂ ପରେ ଆଇସିସି ଟି-୨୦ ମାନ୍ୟତା ପ୍ରକାଶ କରିଛି । ଏହି ସିରିଜ୍ ପରେ ଶ୍ରେୟସ୍ ଆୟର ୨୭ ଟି ସ୍ଥାନ ଉପରକୁ ଉଠିଛନ୍ତି । ୧୭୪ ର ଷ୍ଟ୍ରାଇକ୍ରେ ଶ୍ରୀଲଙ୍କା ବିପକ୍ଷରେ ୨୭ ବର୍ଷୀୟ ଶ୍ରେୟସ୍ ଆୟର ୨୦୪ ସ୍କୋର କରିଥିଲେ । ଏହି କାରଣରୁ ସେ ପ୍ରଥମ ଥର ପାଇଁ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୨୦ ରେ ପହଞ୍ଚିଛନ୍ତି । ସେ ବର୍ତ୍ତମାନ ୧୮ ତମ ସ୍ଥାନରେ ଅଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ସେ ଆଇସିସି ଟି-୨୦ ମାନ୍ୟତାରେ ୪୫ ତମ ସ୍ଥାନରେ ରହିଥିଲେ ।
ଭାରତୀୟ ଦଳର ପେସର୍ ଭୁବନେଶ୍ୱର କୁମାର ମଧ୍ୟ ୩ଟି ସ୍ଥାନ ଉପରକୁ ଉଠି ୧୭ ତମ ସ୍ଥାନରେ ପହଞ୍ଚିଛନ୍ତି । ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କାର ପୃଥମ୍ ନିସାଙ୍କ ୭୫ ରନ୍ ସଂଗ୍ରହ କରିଥିଲେ, ଯାହା ଆଧାରରେ ସେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ଏଥି ସହିତ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟି -୨୦ ସିରିଜରୁ ଏବଂ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ ପଡିଥିବାରୁ ତାଙ୍କୁ ଏହାର କ୍ଷତି ସହିବାକୁ ପଡିଛି । ସେ ଟପ୍ ୧୦ ରୁ ୧୫ ତମ ସ୍ଥାନକୁ ଖସି ଆସିଛନ୍ତି ।
ସେହିପରି ଆଇସିସି ବୋଲିଂ ମାନ୍ୟତାରେ ଭାରତର ତାରକା ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ତାଙ୍କର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ବର୍ତ୍ତମାନ ୮୩୯ ରେଟିଂ ପଏଣ୍ଟ ଅଛି । ଅଶ୍ୱିନ୍ଙ୍କ ପରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ହେଉଛନ୍ତି ଏକମାତ୍ର ଭାରତୀୟ ବୋଲର ଯିଏକି ସର୍ବଶେଷ ଆଇସିସି ବୋଲିଂ ର଼୍ୟାଙ୍କିଙ୍ଗରେ ଟପ୍ -୧୦ ରେ ରହିଛନ୍ତି । ୭୬୩ ରେଟିଂ ପଏଣ୍ଟ ସହିତ ବୁମ୍ରା ୧୦ ନମ୍ବରରେ ରହିଛନ୍ତି । କେବଳ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ତଥା ଅଧିନାୟକ ପ୍ୟାଟ୍ କମିନ୍ସ ବର୍ତ୍ତମାନ ଅଶ୍ୱିନଙ୍କ ଉପରେ ଅଛନ୍ତି । ୮୯୮ ରେଟିଂ ପଏଣ୍ଟ ସହିତ କମିନ୍ସ ଏକ ନମ୍ବରରେ ରହିଛନ୍ତି । ପାକିସ୍ତାନର ଶାହିନ୍ ଶାହା ଆଫ୍ରିଦି ମଧ୍ୟ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି ।
ସର୍ବଶେଷ ର଼୍ୟାଙ୍କିଙ୍ଗରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଫାଇଦା ମିଳିଛି । ସେ ତିନୋଟି ସ୍ଥାନ ଉପରକୁ ଉଠି ତିନି ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ବର୍ତ୍ତମାନ ରାବାଡାଙ୍କ ୮୩୫ ରେଟିଂ ପଏଣ୍ଟ ରହିଛି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯେଉଁଠାରେ ସେ ଏକ ଇନିଂସରେ ପାଞ୍ଚ ୱିକେଟ୍ ନେଇଥିଲେ । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର କାଇଲ୍ ଜେମସନ୍ ଏବଂ ଟିମ୍ ସାଉଦୀ ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସି ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।