କନ୍ଧମାଳ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ

0 95

ଫୁଲବାଣୀ,୨/୩:- ମ୍ୟାଲେରିଆ ପରି ଫାଇଲେରିଆ ମଧ୍ୟ ଏକ ମଶାବାହିତ ରୋଗ । ଏହି ରୋଗ ଏକ କ୍ଷୁଦ୍ର ପରଜୀବୀ କୀଟାଣୁର ସଂକ୍ରମଣ ଯୋଗୁଁ ହୋଇଥାଏ । ମାଈ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ଏହି କୀଟାଣୁ ଜଣଙ୍କ ଦେହରୁ ଅନ୍ୟଜଣଙ୍କୁ ସଂକ୍ରମଣ ହୋଇଥାଏ । ଫାଇଲେରିଆ ହେଲେ ଗୋଡ଼, ହାତ ଫୁଲିଯାଏ । ପୁରୁଷ ଲୋକର ଅଣ୍ଡକୋଷ ଫୁଲେ ଏବଂ ସ୍ତ୍ରୀ ଲୋକଙ୍କ ସ୍ତନ ଫୁଲି ଯନ୍ତ୍ରଣା ହୁଏ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ କନ୍ଧମାଳ ଜିଲ୍ଲାର କେତେକ ଗ୍ରାମରେ ରାତ୍ରିକାଳୀନ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଆମ ଜିଲ୍ଲାରେ ଫାଇଲେରିଆ ରୋଗର ସଂକ୍ରମଣ ଅଛି ବୋଲି ଜଣାପଡ଼ିଛି । ତେଣୁ ଆମଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୭ ମାର୍ଚ୍ଚରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ବିଗତଦିନ ମାନଙ୍କରେ ଏହି ରୋଗ ନିରାକରଣ ପାଇଁ ଘରଘର ବୁଲି ଔଷଧ ବିତରଣ କରାଯାଉଥିଲା । ମାତ୍ର ଦେଖାଗଲା ପ୍ରାୟ ଲୋକ କୌଣସି ନା କୌଣସି କାରଣରୁ ଏହାକୁ ସେବନ କରୁନଥିଲେ । ଫଳରେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେଉନଥିଲା । କିନ୍ତୁ ଚଳିତବର୍ଷ ଏହାକୁ ସେବନ କରାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟକ୍ତି ଡି.ଇ.ସି. ଓ ଆଲ୍‌ବେଣ୍ଡାଜୋଲ୍‌ ବଟିକା ସେବନ କରିବାପାଇଁ ବ୍ୟବସ୍ଥା ରହିଛି । କେବଳ ୨ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା, ଅତିଶୟ ରୁଗ୍ଣ ବ୍ୟକ୍ତିବିଶେଷଙ୍କୁ ଏହି ଔଷଧ ସେବନରୁ ବାଦ୍‌ ଦିଆଯିବ । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜନସାଧାରଣ ଜିଲ୍ଲାର ୱାର୍ଡ଼ମେମ୍ବର, ସମାଜସେବୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ନିବେଦନ କରିଛନ୍ତି । ଏହି ଅଭିଯାନକୁ ସହଯୋଗ କରି ଫାଇଲେରିଆମୁକ୍ତ କନ୍ଧମାଳ ଗଠନରେ ସାମିଲ ହୁଅନ୍ତୁ । ଏଥିପାଇଁ ଜିଲ୍ଲାପାଳ ଜିଲ୍ଲାର ଜନସାଧାରଣଙ୍କର ପୂର୍ଣ୍ଣସହଯୋଗ କାମନା କରିଛନ୍ତି । ଡି.ଇ.ସି. ଓ ଆଲ୍‌ବେଣ୍ଡାଜୋଲ୍‌ ବଟିକା ସମ୍ପୂର୍ଣ୍ଣ ନିରାପଦ ଅଟେ । ତାକୁ ଆଶା ଦିଦିଙ୍କ ସମ୍ମୁଖରେ ଖାଦ୍ୟ ଖାଇସାରିବା ପରେ ଖାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଥିଲେ ଯେ, ଜିଲ୍ଲାର ସମୁଦାୟ ୪ହଜାର ୧୭ ଗୋଟି ଗ୍ରାମ ଓ ୩ ଗୋଟି ସହରାଞ୍ଚଳରେ ଔଷଧ ସେବନ କରାଇବା କାର୍ଯ୍ୟକ୍ରମରେ ୧୨ ଗୋଟି ସି.ଏଚ୍‌.ସି., ୧୭୧ ଗୋଟି ସବ୍‌ସେଣ୍ଟର, ୨୭୦ ଜଣ ସୁପରଭାଇଜର୍‌, ୨୭୦୦ ଜଣ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଟର ସହଯୋଗ କରିବେ । ବଟିକା ନ ଖାଇଲେ ମଶା ମାଧ୍ୟମରେ ଗୋଟିଏ ସୁସ୍ଥଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି ଏବଂ ଏହି ରୋଗ ମଣିଷକୁ ଲେପ୍ରୋସି ଭଳି ସମ୍ପୂର୍ଣ୍ଣ ବିକଳାଙ୍ଗ କରିଦେଇପାରେ ବୋଲି ଡା. ପ୍ରଭାକର ସାହୁ ପ୍ରକାଶ କରିଥିଲେ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଭୟ ନକରି ବଟିକା ଖାଇବାକୁ ଲୋକମାନଙ୍କୁ ସଚେତନ କରିବାକୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଅନୁରୋଧ କରିଥିଲେ । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜୋନାଲ୍‌ କୋଡ଼ିନେଟର୍‌ ଡା, ସମ୍ବିତ୍‌ ପ୍ରଧାନ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ମନୋରଞ୍ଜନ ସାହୁ ବାତଜ୍ୱର ମୁକ୍ତ କନ୍ଧମାଜ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ କୁମୁଦ ଚନ୍ଦ୍ର ସାହୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହିତ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

seven − seven =