ଜାଣନ୍ତୁ,ଯୋଗୀଙ୍କ ଆଧ୍ୟାତ୍ମିକ ଓ ରାଜନୈତିକ ଜୀବନ ସଂପର୍କରେ

0 136

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଅଭୂତପୂର୍ବ ସଫଳତା ପାଇଛି । ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ଦଳ କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ସେହିପରି,ଯୋଗୀ ଆଦିତ୍ୟନାଥ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦଳ ଏହି ବିଜୟର ଶ୍ରେୟ ରାଜ୍ୟ ଜନତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛି । ତେବେ ବର୍ତ୍ତମାନ ଯିଏ ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି,ହେଲେ ଯୋଗୀ ଆଦିତ୍ୟନାଥ । କେତେକ ଦୃଷ୍ଟିରୁ ଏହି ନିର୍ବାଚନର ଫଳାଫଳ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ଐତିହାସିକ । ୨୦୧୭ ନିର୍ବାଚନରେ ବିଜେପି ଏକାକୀ ୩୧୨ଟି ଆସନ ପାଇ ସରକାର ଗଠନ କରିବା ଲାଗି ଯେତେବେଳେ କସରତ ଆରମ୍ଭ କଲା,ସେତେବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ଆଗରେ ଏକ ବଡ଼ ଚାଲେଞ୍ଜ ଉଭା ହୋଇଥିଲା । ଚାଲେଞ୍ଜଟି ଥିଲା ଯେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ । ସେତେବେଳେ ଦଳରେ ପ୍ରମୁଖ ଓବିସି ନେତା କେଶବ ପ୍ରସାଦ ମୌର୍ଯ୍ୟା(ସେତେବେଳର ପାର୍ଟି ରାଜ୍ୟ ସଭାପତି),ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଭଳି ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀ ତୁଙ୍ଗ ନେତା ଥିଲେ । ଯୋଗୀଙ୍କ ନାଁ କିନ୍ତୁ ବିଲକୁଳ ଚର୍ଚ୍ଚାରେ ନଥିଲା । ଏପରିକି, ଦଳର ବହୁ ବରିଷ୍ଠ ନେତା ମଧ୍ୟ ସେ(ଯୋଗୀ)ମୁଖ୍ୟମନ୍ତ୍ରୀ ହେବା ନେଇ ସାମାନ୍ୟତମ ସୂଚନା ପାଇ ନଥିଲେ । ତେବେ କେନ୍ଦ୍ରୀୟ ନେତୃତ୍ୱ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ଭିତରେ ଭିତରେ ଯୋଗୀଙ୍କୁ ବାଛି ସାରିଥିଲେ ଏବଂ ତାଙ୍କ ନାମରେ ମୋହର ଲଗାଇଥିଲେ । ସେତେବେଳେ ଯୋଗୀ ସାଂସଦ ଥିଲେ । ୨୦୧୭ ମାର୍ଚ୍ଚ ୧୭ ତାରିଖରେ ସେ ରାଜ୍ୟର ୨୧ତମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କଲେ । ନିଜର ରାଜନୈତିକ କ୍ୟାରିୟରରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ସେତେବେଳେ ତାଙ୍କ ସଂପର୍କରେ ଅନେକ ରୋଚକ ଖବର ପ୍ରକାଶ ପାଇଥିଲା । ୧୯୭୨ ମସିହା ଜୁନ ୫ ତାରିଖରେ ଉତ୍ତରାଖଣ୍ଡର ଗଢୱାଲରେ ଜନ୍ମିତ ଆଦିତ୍ୟନାଥ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ । ଗୋରଖନାଥଠାରେ ଥିବା ଗୋରଖନାଥ ପୀଠର ସେ ମୁଖ୍ୟ ତଥା ମହନ୍ତଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପୂର୍ବରୁ ମହନ୍ତ ଅବୈଦ୍ୟନାଥ ଥିଲେ ପୀଠର ମୁଖ୍ୟ । ସେ ମହନ୍ତ ଅବୈଦ୍ୟନାଥଙ୍କ ଶିଷ୍ୟ ହେବାପରେ ପରିବାରଠାରୁ ଦୂରେଇ ଯାଇଥିଲେ । ସେବେଠଶରୁ ଘର ସହିତ ତାଙ୍କର ଆଉ କୌଣସି ସଂପର୍କ ରହିନଥିଲା । ଅତ୍ୟନ୍ତ କଠିନ ପରିା୍ରମୀ ଓ ଶୃଙ୍ଖଳିତ ଯୋଗୀଙ୍କ ପିତା ଆନନ୍ଦ ବିଷ୍ଟ ୨୦୨୦ ଅପ୍ରେଲରେ କରୋନା ମହାମାରୀ ସମୟରେ ପ୍ରାଣ ହରାଇଥିଲେ । କିନ୍ତୁ ସେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇପାରି ନଥିଲେ । ଲୋକସଭା ୱେସାଇଟରେ ଯୋଗୀଙ୍କର ପ୍ରୋଫାଇଲରେ “ପିତାଙ୍କ ନାମ’ସ୍ତମ୍ଭରେ ପିତା ଭାବେ ତାଙ୍କ ଗୁରୁ ଅବୈଦ୍ୟନାଥଙ୍କ ନାମ ଉଲ୍ଲେଖ କରିଛନ୍ତି । ଆରଏସଏସର ଆଶୀର୍ବାରୁ ହିଁ ଆରମ୍ଭ ହୋଇଥିଲା ଯୋଗୀଙ୍କର ରାଜନୈତିକ ଜୀବନ । ଗୋରଖନାଥ ସଂସଦୀୟ କ୍ଷେତ୍ରରୁ ଯୋଗୀ ସାତ ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ହେଉଛନ୍ତି ରାଜ୍ୟର ପଞ୍ଚମ ଠାକୁର ମୁଖ୍ୟମନ୍ତ୍ରୀ । ଅନ୍ୟ ଚାରି ଜଣ ହେଲେ ଟିଏନ ସିଂହ,ଭିପି ସିଂହ,ବୀର ବାହାଦୁର ସିଂହ ଓ ରାଜନାଥ ସିଂହ । ସେହିପରି,ଉତ୍ତରାଖଣ୍ଡ ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ ହେବାରେ ସେ ହେଉଛନ୍ତି ଚତୁର୍ଥ ବ୍ୟକ୍ତି । ଅନ୍ୟ ତିନି ଜଣ ହେଲେ ଜିବି ପନ୍ତ,ଏଚଏନ ବହୁଗୁଣା ଓ ଏନଡି ତିୱାରୀ ।ଏଥର ନିର୍ବାଚନରେ ଦଳୀୟ ପ୍ରଚାରର ମଙ୍ଗ ଧରିଥିଲେ ଯୋଗୀ ଏବଂ ପ୍ରଚାରରେ ଦଳ କହିଥିଲା ଯେ ରାଜ୍ୟରେ ବିଜେପି ଯଦି ପୁଣି ଜିତେ,ତେବେ ଯୋଗୀ ଆଦିତ୍ୟନାଥ ହିଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ବର୍ତ୍ତମାନ ତାହା ହିଁ ହେବାକୁ ଯାଉଛି ।

hiranchal ad1
Leave A Reply

Your email address will not be published.

nine − seven =