ଗଞ୍ଜାମ : କୁକୁଡ଼ାଖଣ୍ଡି ବ୍ଲକର ଜଗଦଳପୁର ପଞ୍ଚାୟତରେ ଗୁରୁବାର ଦିନ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉଚ୍ଚ ଶିକ୍ଷିତା ତଥା ମହିଳା ସମାଜସେବୀ କ୍ରାନ୍ତୀ କୁମାରୀ ଦେବୀ । ଜଗଦଳପୁର ପାଞ୍ଚୟତରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ବର୍ତ୍ତମାନ ସେ ଆଉ ଗୋଟେ ପାଦ ଆଗକୁ ବଢ଼ି ଜଗଦଳପୁର ପାଞ୍ଚୟତର ଉନ୍ନତି ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ସରପଞ୍ଚ ପ୍ରାର୍ଥୀନୀ ଭାବେ ପାଞ୍ଚୟତ ନିର୍ବାଚନ ଲଢ଼ି ୪୬୮ ଭୋଟରେ ନିକଟସ୍ଥ ପ୍ରତିଦ୍ୱନ୍ଦି କେ.ଉଷା ପାତ୍ରଙ୍କୁ ହରାଇବାରେ ସଫଳ ହୋଇଛନ୍ତି । ଆଜି ପାଞ୍ଚୟତ କାର୍ଯ୍ୟଳୟ ପରିସରରେ କ୍ରାନ୍ତି ଦେବୀ ପାଞ୍ଚୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ଧ୍ୟାରାଣୀ ପାଳଙ୍କ ଉପସ୍ଥିତରେ ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ନେବା ପରେ କ୍ରାନ୍ତି କୁମାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜଗଦଳପୁର ଗ୍ରାମ ପଞ୍ଚାୟତର ଭାଇ ଭଉଣୀ, ଗୁରୁଜନ ଓ ବୁଦ୍ଧିଜୀବୀ ମାନଙ୍କ ଆଶିର୍ବାଦରୁ ମୁଁ ଆଜି ସରପଞ୍ଚ ହୋଇପାରିଛି ।ସେଥିପାଇଁ ଆଗାମୀ ଦିନରେ ଏକ ସୁନ୍ଦର ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ମୋତେ ଆପଣ ମାନଙ୍କ ସହଯୋଗ ନିହାତି ଆବଶ୍ୟକ ଏବଂ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ପାନୀୟଜଳ, ସ୍ୱାସ୍ଥ୍ୟ, ପରିମଳ, ଭତ୍ତା, ରାସନ, ଆଲୋକୀକରଣ ଆଦି ସମସ୍ୟାର ସମାଧାନ କରିବା ସହିତ ଅଧା ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ଏହି ଅବସରରେ ଜଗଦଳପୁର ପାଞ୍ଚୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ପୂର୍ବତନ ସରପଞ୍ଚ ଏଲ୍.ପୁରୁଷୋତ୍ତମ ପାତ୍ର,ଗେଲା ସେଠି, ଚନ୍ଦ୍ର ପାତ୍ର, ବିପ୍ଳବ ପାତ୍ର, ବାବୁଲା ପାତ୍ର, ନନ୍ଦ ପାତ୍ର, ସୁଦର୍ଶନ ସାହୁ,ବି.ଆଦିନରାୟଣ ପାତ୍ର,ନାରାୟଣ ପ୍ରଧାନ, କେ. ଅମିତ, ସଂଗ୍ରାମ ପାତ୍ର ଓ ଶିବ ସେଠି ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।