ଭୁବନେଶ୍ୱର : ମାତ୍ର ୪ ସପ୍ତାହ ପୂର୍ବରୁ ରାଜ୍ୟର କରୋନା ସ୍ଥିତି ଆଦୌ ପ୍ରଭାବଶୂନ୍ୟ ଥିଲା । ଦୁଇ ସପ୍ତାହ ପୂର୍ବେ ଯେତେବେଳେ ପ୍ରବାସୀ ଓଡିଆମାନଙ୍କୁ ଓଡିଶା ଆଗମନ ହେଲା, ସେତେବେଳେ ରାଜ୍ୟରେ କରୋନା ସ୍ଥିତି ଅତ୍ୟନ୍ତ ବିସ୍ଫୋରକ ରୂପ ଧାରଣ କରିଲା । ଯାହା ଆଜି ଓଡିଶାକୁ କୋଭିଡ ୧୯ର ଷ୍ଟେଜ୍-୩(ତୃତୀୟ ପର୍ଯ୍ୟାୟ) ପାଦ ଦେଶରେ ପହଞ୍ଚାଇଛି ବୋଲି କହିଛନ୍ତି କୋଭିଡ-୧୯ର ମୁଖ୍ୟ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ଦେଶର ହଟସ୍ପଟ ଅହମ୍ମଦାବାଦ, ସୁରତ, ମହାରାଷ୍ଟ୍ର ତଥା ବମ୍ବେ, କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରୁ ପ୍ରବାସୀମାନଙ୍କର ସଂଖ୍ୟା ଓଡିଶାକୁ ବଢିବା ପରେ ଏହା ବିସ୍ଫୋରଣ ରୂପ ନେଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଏ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ପ୍ରବାସୀ ଓଡିଆମାନେ କୌଣସି ବାଡବତା ନମାନି ଓଡିଶା ମୁହାଁ ହୋଇଛନ୍ତି । ତେଣୁ ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟରେ ସଂକ୍ରମଣ ଶୀର୍ଷକୁ ଛୁଇଁବ । ଏଣୁ ଏଥିପ୍ରତି ଆମେ ସଜାଗ୍ ହେଲେ ସାମ୍ନା କରିପାରିବା, ଭୟଭୀତ ହେବାନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସର୍ବାଧିକ ଭାବରେ ବିସ୍ଫୋରଣ କରିଛି । ସମୁଦାୟ ପଜିଟିଭଙ୍କ ସଂଖ୍ୟା ଆଜି ୫୮ରେ ପହଞ୍ଚିଥିବା ବେଳେ ସମସ୍ତ ପଜିଟିଭକୁ ସଂଖ୍ୟା ମିଶାଇ ସଂଖ୍ୟା ୩୫୨ ହୋଇଛି । ଏହି ସମସ୍ତ ନୂଆ ପଜିଟିଭ ସୁରତ, କର୍ଣ୍ଣାଟକ, ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ କେବଳ ଅନୁଗୁଳର ଜଣେ ମାତ୍ର ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । ଶେଷ ଖବର ସୁଦ୍ଧା କେରଳ, ତେଲେଙ୍ଗାନା, ଗୁଜୁରାଟ, ସୁରତ, ମହାରାଷ୍ଟ୍ର ଆଦି ସହରରୁ ବାହାରିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନଗୁଡିକ ଆଜି ଅପରାହ୍ନରେ ଓ ଆସନ୍ତାକାଲି ପୂର୍ବାହ୍ନରେ ଓଡିଶାରେ ପହଞ୍ଚିବା ପରେ ସ୍ଥିତି କେଉଁ ଦିଗକୁ ଯିବ ରାଜ୍ୟବାସୀଙ୍କ ନଜର ।