ନୂଆଦିଲ୍ଲୀ,୨୪/୩ : ଜାତିସଂଘରେ ବାରମ୍ବାର ଋଷ୍ ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟିଂରୁ ବିରତ ରହି ଋଷକୁ ପରୋକ୍ଷରେ ସମର୍ଥନ ଜଣାଇ ଆସିଥିବା ଭାରତର ଆଭିମୁଖ୍ୟରେ ଅଚାନକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜାତିସଂଘରେ ଋଷ୍ ଏକ ସଂକଳ୍ପ ଆଗତ କରିଥିଲା । ପାଶ୍ଚାତ୍ୟ ଦେଶଗୁଡ଼ିକ ଭାବିନେଇଥିଲେ ଯେ ଭାରତ ଋଷ୍ ସପକ୍ଷରେ ଭୋଟ ଦେବ । କିନ୍ତୁ ଭାରତ ସମସ୍ତଙ୍କୁ ଚକିତ କରିଥିଲା ଏବଂ ଏହା ସପକ୍ଷରେ ଭୋଟ ନଦେଇ ବିରତ ରହିଥିଲା । ୟୁକ୍ରେନ୍ରେ ମାନବୀୟ ସଙ୍କଟ ଉପରେ ରୁଷ୍ ଆଗତ କରିଥିବା ପ୍ରସ୍ତାବନାରେ ଭୋଟ୍ ଦେବାରୁ ଭାରତ ଏବଂ ଜାତିସଂଘ ନିରାପତ୍ତା ପରିଷଦ୍ର ଆଉ ୧୨ଟି ଦେଶ ନିବୃତ୍ତ ରହିଛନ୍ତି । ରୁଷ୍ ଆଗତ କରିଥିବା ଉପରୋକ୍ତ ଚିଠା ପ୍ରସ୍ତାବର ସହ-ପ୍ରାୟୋଜକ ଥିଲେ ସିରିୟା, ଉତ୍ତର କୋରିଆ ଏବଂ ବେଲାରୁଷ୍ । ପାରିତ ହେବା ପାଇଁ ଆବଶ୍ୟକ କରୁଥିବା ୯ଟି ‘ସମ୍ମତି’ ଭୋଟ୍ (ୟେସ୍ ଭୋଟ୍ ) ନ ପାଇବାରୁ ବୁଧବାର ଦିନ ଏହା ପରିଷଦ୍ରେ ଗୃହୀତ ହୋଇପାରିଲା ନାହିଁ । ରୁଷ୍ ଓ ଚୀନ୍ ଉକ୍ତ ପ୍ରସ୍ତାବନା ସପକ୍ଷରେ ଭୋଟ୍ ଦେଇଥିଲେ ବି ଉକ୍ତ ପ୍ରସ୍ତାବନା ବିପକ୍ଷରେ କୌଣସି ରାଷ୍ଟ୍ର ଭୋଟ୍ ଦେଇ ନ ଥିଲେ । ଭାରତ ଓ ବାକି ନିରାପତ୍ତା ପରିଷଦ୍ ସଦସ୍ୟମାନେ ଭୋଟ୍ ଦାନରୁ ନିବୃତ୍ତ ରହିଥିଲେ । ଭାରତ ୟୁକ୍ରେନରେ ମାନବୀୟ ସଂକଟ ଉପରେ ରୁଷିଆର ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଦୂରରେ ରହିଛି । ଭାରତ ଏହି ଯୁଦ୍ଧ ଠାରୁ ନିବୃତ୍ତ ରହିଛି । ଅର୍ଥାତ ଯୁଦ୍ଧକୁ ଭାରତ ସମର୍ଥନ କରିନାହିଁ । ଏହା ପୂର୍ବରୁ ମଧ୍ୟ ଭାରତ ୟୁଏନ୍ରେ ୟୁକ୍ରେନ୍ ପ୍ରସଙ୍ଗରେ ରୁଷିଆ ବିରୋଧରେ ପଶ୍ଚାତ୍ୟ ଦେଶଗୁଡିକର ପ୍ରସ୍ତାବ ଠାରୁ ଦୂରରେ ରହିଥିଲା । ଭାରତ ସମେତ ମୋଟ ୧୩ଟି ଦେଶ ରୁଷିଆର ପ୍ରସ୍ତାବ ଉପରେ ଭୋଟିଂରେ ଅଂଶଗ୍ରହଣ କରିନାହାନ୍ତି । ରୁଷିଆ ଏହି ପ୍ରସ୍ତାବକୁ ସିରିଆ, ଉତ୍ତର କୋରିଆ ଓ ବେଲାରୁଷର ସମର୍ଥନ ଉପସ୍ଥାପନ କରିଛି । କିନ୍ତୁ ଏହା ପାସ ହୋଇପାରି ନାହିଁ । କାରଣ ଏହାକୁ ପାସ କରିବା ପାଇଁ ୯ଟି ଦେଶର ସମର୍ଥନ ଆବଶ୍ୟକତା ଥିଲା ।