ନୂଆଦିଲ୍ଲୀ- ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ସହିତ ଅନ୍ୟାନ୍ୟ ଦାବି ନେଇ ଆଜି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ତରଫରୁ ଦିଲ୍ଲୀରେ ବିଶାଳ ପ୍ରତିବାଦ ସଭା ଡାକରା ଦିଆଯାଇଥିବା ବେଳେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରି ପ୍ରଧାନ ବିଚାରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାର ଯୋଜନା ରହିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ବିରୋଧୀ ଦଳ ନେତାମାନଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି।
ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଆଜି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସମୟ ମାଗିଥିଲେ।
ସୂଚନା ଅନୁଯାୟୀ, ପ୍ରଧାନ ବିଚାରପତି ଇ-ମେଲ ମାଧ୍ୟମରେ ଦୁଇ ନେତାଙ୍କୁ ଜଣାଇଛନ୍ତି ଯେ ସେମାନେ ଯେଉଁ ଦାବି ଉଠାଇଛନ୍ତି, ସେଗୁଡ଼ିକ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଏପ୍ରସଙ୍ଗରେ ସେ ସେମାନଙ୍କୁ ଭେଟିବା ଉଚିତ ହେବ ନାହିଁ।
ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ ସରକାରଙ୍କ ପ୍ରଶାସନିକ କାର୍ଯ୍ୟରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ। ନ୍ୟାୟିକ ପ୍ରକ୍ରିୟାରେ ଆସି ସେମାନେ ସେମାନଙ୍କର ମୈ।ଳିକ ଅଧିକାର ପାଇଁ ସୁରକ୍ଷା ମାଗିପାରିବେ ବୋଲି ପ୍ରଧାନ ବିଚାରପତିଙ୍କ ତରଫରୁ କୁହାଯାଇଥିବା ଜଣାପଡ଼ିଛି।
