ଆସନ୍ତାକାଲି ଶପଥ ନେବେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ,୨୪/୩ : ଉତ୍ତରପ୍ରଦେଶର ବିଜେପି ବିଧାୟକ ଦଳ ବୈଠକରେ ଆଜି ଯୋଗୀ ଆଦିତ୍ୟନାଥଙ୍କୁ ନେତା ଭାବରେ ବଛାଯାଇଛି । ଯୋଗୀ ଆସନ୍ତାକାଲି କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ବିଧାୟକ ଦଳର ନେତା ହେବା ପରେ ଯୋଗୀ କହିଛନ୍ତି ଯେ, ରାଜ୍ୟରେ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛି । ଏଭଳି ହେବା ପ୍ରଥମ । ଜାତୀୟତା ଏବଂ ଉତ୍ତମ ଶାସନ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିହେବ ବୋଲି ବିଜେପି ପ୍ରମାଣ କରି ଦେଖାଇଛି । ଦଳ ୨୦୧୭ରେ ମୋ ଉପରେ ବିଶ୍ୱାସ କରିଥିଲା । ସେତେବେଳେ ମୁଁ କେବଳ ସାଂସଦ ଥିଲି ଏବଂ ମୋର କୌଣସି ପ୍ରଶାସନିକ ଅଭିଜ୍ଞତା ନଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମୋ ପାଇଁ ପରାମର୍ଶଦାତା ସାଜିଥିଲେ । ଜଣେ ସାଂସଦ ଏକ ସୀମିତ ପରିସର ଭିତରେ ରହି ଶାସନ କରେ । କିନ୍ତୁ ୟୁପି ଭଳି ରାଜ୍ୟକୁ ଶାସନ କରିବା ଏକ ଭିନ୍ନ କଥା ଏବଂ ମୋତେ ମିଳିଥିବା ମାର୍ଗଦର୍ଶନ ଯୋଗୁଁ ମୁଁ ୟୁପିରେ ଭଲ ଶାସନ କରିପାରିଛି ବୋଲି ଭାବୁଛି ।