ନୂଆଦିଲ୍ଲୀ: ଉଡାଣ କରିବା ପୂର୍ବରୁ ବିଜୁଳି ଖୁଣ୍ଟ ସହ ଧକ୍କା ଖାଇଲା ସ୍ପାଇସଜେଟ୍ ବିମାନ । ଦିଲ୍ଲୀରୁ ଜମ୍ମୁ ଯାଉଥିବା ସ୍ପାଇସଜେଟ୍ ବିମାନ ସହ ଏଭଳି ଘଟିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଡାଣ ବାତିଲ କରାଯାଇଛି । ବିମାନଟି ଦିଲ୍ଲୀରୁ ଜମ୍ମୁ ଯିବାର ଥିଲା । ହେଲେ ବିମାନଟି ପାସେଞ୍ଜର ଟର୍ମିନାଲରୁ ରନୱେକୁ ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ଘଟିବା ପରେ ବିମାନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଦେଖାଯାଇଛି ଯେ, ବିମାନର ଡେଣା ବାଜିବା ପରେ ବିଜୁଳି ଖୁଣ୍ଟଟି ନଇଁ ପଡିଛି ଏବଂ ବିମାନର ଡେଣା ଭାଙ୍ଗି ଯାଇଛି । ତେବେ ଏହି ଦୁର୍ଘଟଣା ପରେ ଉଡାଣ ବାତିଲ କରାଯାଇ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ପଠାଯାଇଥିବା ଜଣାପଡିଛି । ସ୍ପାଇସଜେଟ୍ ମୁଖପାତ୍ର କହିଛନ୍ତି ଯେ, ଆଜି ସ୍ପାଇସଜେଟ ବିମାନ ଏସଜି ୧୬୦ ଦିଲ୍ଲୀ ଏବଂ ଜମ୍ମୁ ମଧ୍ୟରେ ଚଳାଚଳ କରିବାର ଯୋଜନା ଥିଲା । ପାସେଞ୍ଜର ଟର୍ମିନାଲରୁ ରନୱେକୁ ଯିବା ପାଇଁ ବିମାନଟି ପଛକୁ ଆସୁଥିବା ସମୟରେ ବିମାନର ଡାହାଣପଟ ଡେଣା ଏକ ବିଜୁଳି ଖୁଣ୍ଟ ସହିତ ଧକ୍କା ଖାଇଥିଲା । ତେବେ ଏହା ପ୍ରଥମ ନୁହେଁ ଏଭଳି ଉଡାଣ କରିବା ପୂର୍ବରୁ ଅନେକ ବିମାନ କମ୍ପାନିର ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଦେଖାଯାଇଛି ।