ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ରୁ ଅଫଲାଇନ୍ ମୋଡରେ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।
ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଗଣ ଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ପରିବର୍ତ୍ତନ ହୋଇପାରେ ଦ୍ୱାଦଶ ବିଜ୍ଞାନ ପିଲାଙ୍କ ପରୀକ୍ଷା କାର୍ଯ୍ୟସୂଚୀ । କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସିଏଚଏସିକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧରିତ ହୋଇଥିବା ପରୀକ୍ଷା ସୂଚୀରେ ଅଳ୍ପ ସମୟ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ ୧୫୮୬ କଲେଜର ପିଲା ବୋର୍ଡ ପରୀକ୍ଷା ଦେବେ । ୧୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବ । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।