ପ୍ରଶାସନ ନିଦାବିଷ୍ଣୁ, ବିପଦଶଂକୁଳ ଅବସ୍ଥାରେ କଣ୍ଟାବାଞ୍ଜି ସରକାରୀ ପ୍ରାଥମିକ ବିଦ୍ୟାଳୟ

0 129

କଣ୍ଟାବାଞ୍ଜି, : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇ ସେଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଥଲେ ହେଁ ସେଥିରୁ ଆଶାନୁରୂପ ସୁଫଳ ମିଳୁ ନାହିଁ । ପ୍ରଶାସନିକ ଅବହେଳା ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ବି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି କିଛି ପ୍ରାଥମିକ ସ୍କୁଲ । ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସରକାରୀ ପ୍ରାଥମିକ ବିଦ୍ୟାଳୟ । ୧୯୪୬ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ କେବଳ ଏକ ସ୍କୁଲ ନୁହେଁ,ଏହା ସ୍ୱାଧୀନତା ପୂର୍ବବର୍ତ୍ତୀ ତଥା ସ୍ୱାଧୀନ ଭାରତର ଇତିହାସର ମୂକସାକ୍ଷୀ । ଏହି ବିିଦ୍ୟାଳୟରୁ ଜନ୍ମ ନେଇଛନ୍ତି ବହୁ ସୁନାମଧନ୍ୟ ବ୍ୟକ୍ତିତ୍ୱ । ଅନେକ ଉଚ୍ଚପଦସ୍ଥ ଅଫିସର,ରାଜନେତା ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଜନ୍ମ ଦେଇ ଜିଲ୍ଲା ତଥା ରାଜ୍ୟର ଗୌରବ ବଢାଇଛି ଏହି ମନ୍ଦିରରୂପୀ ବିଦ୍ୟାଳୟ । ତେଣୁ ରାଷ୍ଟ୍ର ନିର୍ମାଣରେ ଏହାର ଅବଦାନକୁ ଯେତେ ପ୍ରଶଂସା କଲେ ବି ତାହା କମ ହେବ । ଇତିମଧ୍ୟରେ ୭୫ ବର୍ଷ ଛୁଇଁ ସାରିଲାଣି ଏହି ବିଦ୍ୟାଳୟ । କିନ୍ତୁ ପରିତାପ ଓ ଦୁର୍ଭାଗ୍ୟର ବିଷୟ ଯେ ଗର୍ବ ଓ ଗୌରବର ପ୍ରତୀକ ଏହି ବିଦ୍ୟାଳୟ ଆଜି ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ । କୋଠାର ଛାତ ଓ କାନ୍ଥ ଫାଟି ଆଁ କଲାଣି । ଅତ୍ୟନ୍ତ ବିପଦଶଙ୍କୁଳ ସ୍ଥିତିରେ ପଡ଼ି ରହିଛି ବିଦ୍ୟାଳୟ କୋଠା । ସ୍ଥିତି ଏମିତି ଯେ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣ ଘଟିଯିବାର ଆଶଙ୍କା ମଧ୍ୟ ଦେଖାଦେଲାଣି । ଖେଳପଡ଼ିଆ ଜଙ୍ଗଲ ପାଲଟିଗଲାଣି । ଛାତ୍ରଛାତ୍ରୀଙ୍କ ଦୁଃଖ କହିଲେ ନସରେ । ସବୁୁପ୍ରକାର ସୁବିଧାସୁଯୋଗରୁ ବଞ୍ଚିତ ଏହାର ଛାତ୍ରଛାତ୍ରୀ । ସ୍କୁଲର ଏଭଳି ଶୋଚନୀୟ ଓ ବିପଦଶଙ୍କୁଳ ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ଅବହେଳା ନେଇ ଦେଖାଦେଇଥିବା ଅସନ୍ତୋଷର ସୀମା ନାହିଁ । ସହରର ମୁଖ୍ୟ ରାସ୍ତାରେ ଅବସି୍ଥତ ରାଷ୍ଟ୍ରୀୟ ହିନ୍ଦୀ ବିଦ୍ୟାଳୟ ପ୍ରତି ପ୍ରଶାସନର କାହିଁକି ଏଭଳି ଚରମ ଅବହେଳା,ତାହା ହିଁ ଏକ ବଡ଼ ପ୍ରଶ୍ନ । ଅନେକଙ୍କୁ ଏହା ବିସ୍ମିତ ଓ ପ୍ରତିକ୍ରିୟାଶୀଳ କରାଇଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ମରାମତି ତଥା ପୁନର୍ବିନ୍ୟାସ ସାଙ୍ଗକୁ ସମସ୍ତ ପ୍ରକାର ସୁବିଧା ଓ ବ୍ୟବସ୍ଥା ସ୍ଥାପନ କରି ସ୍କୁଲର ଗୌରବ ଓ ଶୋଭା ଫେରାଇ ଆଣିବା ଦିଗରେ ଅବିଳମ୍ବେ ପ୍ରଶାସନ କାର୍ଯ୍ୟ ଆରମ୍ଭ କରୁ ବୋଲି ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

11 + ten =