କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା, ଗାଁଠୁ ସହର ସବୁଠି ଭକ୍ତିଭାବ ପରିବେଶ

0 226

ବାଲିଗୁଡ଼ା: କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେସ୍‌ ଖୁସି ପରିଲକ୍ଷିତ ହେଉଛି । କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଅପ୍ରେଲ ଏକ ତାରିଖରୁ ତେରଦିନ ବ୍ୟାପି ଚାଲିବ । ମେରୁ ଯାତ୍ରା ପରେ ପଣା ସଂକ୍ରାନ୍ତି ଦିନ ଏହି ଯାତ୍ରା ଶେଷହେବ । ଗତ ଶୁକ୍ରବାର ରାତିରେ ଗାଁ ପୋଖରୀରେ ମାନସିକଧାରୀ ଦଣ୍ଡୁଆ ତେର ଭୋକତା ନିର୍ଜଳା ଉପବାସ ରହିଥିଲେ । ପାଟଭୋକତା ସମେତ ଅନ୍ୟାନ୍ୟ ଭକ୍ତଗଣ ବ୍ରହ୍ମଅଗ୍ନି ନିମନ୍ତେ ଦକ୍ଷିଣକାଳୀଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ । ମାଆ ରାତି ଆଠଟା ପନ୍ଦର ମିନିଟ୍‌ ସମୟରେ ଆବିର୍ଭାବ ହୋଇଥିଲେ । ପାଟଢୋଲ ପାଣି ଢୋଲ ଘଣ୍ଟ କାହାଳି ମହୁରୀ ଓ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଦଣ୍ଡବିଧାନ ଅନୁଯାୟୀ ଦଣ୍ଡନୃତ୍ୟ ଦଳ ସକାଳୁ କାମନାକାରୀଙ୍କ ଘରକୁଯାଇ ବ୍ରଣ ହୋଇ ଗ୍ରହଣକରି ଦଣ୍ଡନୃତ୍ୟ କରିଥାନ୍ତି । ଦିନ ଦ୍ୱିପ୍ରହରରେ ଧୂଳିଦଣ୍ଡ ସନ୍ଧ୍ୟାରେ ପାଣିଦଣ୍ଡ ଏବଂ ରାତ୍ରରେ ଝୁଣାଦଣ୍ଡ ବା ଅଗ୍ନିଦଣ୍ଡ ଅନୁଷ୍ଠିତ ହୁଏ । ପରଭା ନୃତ୍ୟ ପରେ ହର ପାର୍ବତୀ ବିଜେକରି ନୃତ୍ୟ ଓ ଗୀତ ମାଧ୍ୟମରେ ଦଣ୍ଡଚରିତ୍ର ଓ ବୃତ୍ତାନ୍ତ ବର୍ଣ୍ଣନା କରିଥାନ୍ତି । ଦଣ୍ଡନୃତ୍ୟରେ ଚଢେୟା-ଚଢେୟାଣୀ, ସୌରା-ସୌରୁଣୀ, ଯୋଗୀ-ଯୋଗିଆଣୀ, ବୀଣାକାର-କାରୁଆଣୀଙ୍କ ନୃତ୍ୟ ମନମୁଗ୍ଧ କରେ ଦେଖଣାହାରୀଙ୍କୁ । ମାନସିକଧାରୀ ଦଣ୍ଡୁଆ ଗୋଟିଏ ଓଳି ଉପବାସ ରହି ଗୋଟିଏ ଓଳି ଅରୁଆ ହବିଷଅର୍ଣ୍ଣ ସେବନ କରିଥାନ୍ତି । ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ଦଣ୍ଡୁଆଙ୍କ ଶୋଭାଯାତ୍ରା ବାଲିଗୁଡା ସହର ସମେତ ପୁରପଲ୍ଲୀରେ ଶୋଭାବର୍ଦ୍ଧନ କରୁଛି । ସନ୍ଧ୍ୟା ସମୟରେ ମା ଗ୍ରାମ ପରିକ୍ରମା କରନ୍ତି । ସେହି ସମୟରେ ଶ୍ରଦ୍ଧାଳୁମାନେ ନିଜ ଘର ଆଗରେ ଭୋଗ ବାଢ଼ିବା ସହ ମା’ଙ୍କ ଦର୍ଶନ କରି ଭକ୍ତିକୃପା ଲାଭ କରନ୍ତି । ଦୀର୍ଘ ଦୁଇବର୍ଷ ପରେ ତାଙ୍କୁ ନିଜ ଗାଁ,ସାହି ଓ ଘର ପାଖରେ ଦର୍ଶନ କରିବାର ସୁଯୋଗ ପାଇ ଭାବ ବିହ୍ୱଳ ହୋଇ ପଡ଼ୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।

hiranchal ad1
Leave A Reply

Your email address will not be published.

20 − seventeen =