ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ସଭାପତି ଭାବେ ନରସିଂହନାଥ ତ୍ରିପାଠୀ, ଉପ ସଭାପତି ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଯୁଗ୍ମ ସମ୍ପାଦକ ଅନୀଲ ଦୀନବନ୍ଧୁ ଓ କୋଷାଧ୍ୟକ୍ଷ ବାଲାଜୀ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା ମଞ୍ଚାସୀନ ରହି ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ୱନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ । ସଭାପତି ନରସିଂହ ନାଥ ତ୍ରିପାଠୀ ନିଜ ବକ୍ତବ୍ୟ ପ୍ରଦାନ କରି ଜିଲ୍ଲାରେ ସ୍ଥାୟୀ ଭିଜିଲାନ୍ସ କୋର୍ଟ ସ୍ଥାପନ ପାଇଁ ଓ ରେଭେନ୍ୟୁ କୋର୍ଟ ନିକଟ ବାର ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସମସ୍ତ ଆଇନଜୀବୀ ମାନଙ୍କ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା କରାଯିବ ବୋଲି ସେ କହିଥିଲେ । ଏଥିସହ ଆଇନଜୀବୀ ସଂଘରେ ସୁସ୍ଥ ଓ ଶୃଙ୍ଖଳିତ ପରମ୍ପରା ବଜାୟ ରଖାଯିବ ଓ ଯଦି ଯେ କୌଣସି ବ୍ୟକ୍ତି ସଂଘର ନୀତି ବିରୁଦ୍ଧରେ ଯାଏ ତାହାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ଆଇନଜୀବୀ ସୁବୋଧ ଚନ୍ଦ୍ର ବେନ୍ୟା ନୂତନ କର୍ମକର୍ତ୍ତାମାନଙ୍କୁ ସମସ୍ତେ ସହଯୋଗ କରିବାକୁ ନିଜ ବକ୍ତବ୍ୟ ରେ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ରାମ ପ୍ରସାଦ ପାତ୍ର ୭ମ ଥର ପାଇଁ ସମ୍ପାଦକ ରୂପେ ବିଜୟୀ ହୋଇ ଶପଥ ଗ୍ରହଣ କରିଥିଲେ । ସମ୍ପାଦକ ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତ ଆଇନଜୀବୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ ସହଯୋଗ କାମନା କରିଥିଲେ ଏବଂ ନିର୍ବାଚନର ସୁପରିଚାଳନା କରିଥିବା ଯୋଗୁଁ ସେ ନିର୍ବାଚନ ଅଧିକାରୀ ବାବା ଯୁଗନ୍ଧର ଓ ସହକାରୀ ନିର୍ବାଚନ ଅଧିକାରୀ କିଶୋର ପଟ୍ଟନାୟକ, ଚନ୍ଦ୍ର ଶେଖର ରାଓଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସୁବାଷ ପାଳ, ପ୍ରସନ୍ନ ପଟ୍ଟନାୟକ, ସମରେଶ ଗନ୍ତାୟତ, ଗଜପତି ପଟ୍ଟନାୟକ, ଲକ୍ଷ୍ମୀ କାନ୍ତ ମିଶ୍ର, ମାନସ ତ୍ରିପାଠୀ, ହରି ନାରାୟଣ ବେହେରା, ସିରାଜୁଦ୍ଦିନ ଅହମ୍ମଦ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଇମ୍ରାନ ସାରିଫ, ଶ୍ରୀନିବାସ ପାତ୍ର, ଶ୍ରୀକାନ୍ତ କୁମାର ପଣ୍ଡା, ସ୍ନେହଲତା ଦେବୀ, ଜେନିଫର ସୁନା, ଅନୁପମା ଗନ୍ତାୟତ, ମିନାକ୍ଷୀ ପାଢ଼ୀ, ପ୍ରଫୁଲ୍ଲ ସିଂ, କିଶୋରୀ ପଟ୍ଟନାୟକ, ଶର୍ମିଷ୍ଠା ରଥ, ପଙ୍କଜିନୀ ତ୍ରିପାଠୀ, ଅଜିତା ଦାଶ, ରାକ୍ଷୀ ଜୈନ, ସ୍ୱାଗତିକା ସାମନ୍ତରାୟ, ଆସେର ଜାନି, ଗୋପାଳ ନାୟକ, ସଦାଶିବ ସାହୁ, ମହେଶ୍ୱର ମହାପାତ୍ର, ସଂଜୀବ ଭକ୍ତ ପ୍ରମୁଖ ଉପସ୍ଥିତ ଥିଲେ ।