ବଲାଙ୍ଗୀର : ହଟିଛି କଟକଣା । ଏଠି ସେଠି ଗାଁରୁ ସହର ସବୁଠି ଧୁମଧାମରେ ଆୟୋଜିତ ହେଉଛି ପର୍ବ ପର୍ବାଣି । କଟକଣା ମୁକ୍ତ ଲୋକଙ୍କ ମନରେ ଖୁସି ଲେଉଟିଛି । ପୁଇଁତଲା ବ୍ଳକ ବେଲବାହାଲି ଗାଁରେ ଚବିଶ ପ୍ରହରୀ ନାମଯଜ୍ଞ ଅଧିବାସ ଉତ୍ସବ ଅନୁଷ୍ଠିତ ହୋଇଛି । ଶହ ଶହ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଆସନ୍ତାକାଲିଠାରୁ ୩ ଦିନଧରି ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ସୁପ୍ରସିଦ୍ଧ ମହିଳା ଓ ପୁରୁଷ କିର୍ତ୍ତନ୍ୟ ଦଳ ଅଂଶଗ୍ରହଣ କରିବେ । ପୂର୍ବରୁ କୋଭିଡ କଟକଣା ହେତୁ ବାରମ୍ବାର ସ୍ଥଗିତ ହୋଇଥିଲା । ବିବାହ ବ୍ରତ ଅନ୍ୟାନ୍ୟ ପର୍ବ ପର୍ବାଣୀରୁ ମଧ୍ୟ ଲୋକେ ବଞ୍ଚିତ ଥିଲେ । ଏଣୁ ସମସ୍ତଙ୍କ ମନରେ ଖୁସି । ପ୍ରତ୍ୟେକ ଘରେ ବନ୍ଧୁବାନ୍ଧବ ଆସୁଛନ୍ତି । ଆଖପାଖ ଗାଁ ରେ ମଧ୍ୟ ଉତ୍ସାହ ଲକ୍ଷ୍ୟ କରାଯାଏ । ତେଣୁ ବହୁଲୋକ ସମାଗମ ହେବା ଆଶା କରାଯାଏ ଏବଂ ସମସ୍ତଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା ହୋଇଥିବା ଆୟୋଜକ ଗ୍ରାମ୍ୟ କମିଟୀ ପ୍ରକାଶ କରିଛନ୍ତି । ବାର ମାସକୁ ତେର ପର୍ବ ଓଡ଼ିଆଙ୍କ ପରିଚୟ । କେବଳ ବେଲବାହାଲି ନୁହଁ ଇତି ମଧ୍ୟରେ କିଛି ଗାଁରେ ନାମଯଜ୍ଞ ଅନୁଷ୍ଠିତ ହୋଇସାରିଛି । ଖବର ଅନୁସାରେ ବୁବେଲ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ଅନୁଷ୍ଠିତ ହେବ । ଆସନ୍ତା ୧୯ତାରିଖରୁ କୁଣ୍ଡାମାଳ ଗାଁରେ ମଧ୍ୟ ଚବିଶ ପ୍ରହର ନାମ ଅନୁଷ୍ଠିତ ହେବ । ଏପ୍ରିଲ ୧୭ରୁ ୨୧ତାରିଖ ଯାଏ ଦଶପୁର ଠାରେ ନୂତନ ରାମଜୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ପଞ୍ଚକୁଣ୍ଡିୟ ଶ୍ରୀରାମ ଯଜ୍ଞ ଅନୁଷ୍ଠିତ ହେବ । ଗଇଁତଲା ଲୋକେ ମଧ୍ୟ ମହା ସମାରୋହରେ ନବକଳେବର ଉତ୍ସବ ଆୟୋଜନ ପାଇଁ ସଜବାଜ ହେଉଥିବା ଜଣାପଡିଛି । ଏମିତିରେ ଗାଁରୁ ସହର କେଉଁଠି ନାମ ସଂକୀର୍ତ୍ତନ, କେଉଁଠି ରାମଲୀଳା ନାଟକ ତ କେଉଁଠି ପାରାୟଣ, ଦଣ୍ଡନାଚ ଇତ୍ୟାଦି ଉତ୍ସବ ପାଳନ କରାଯାଉଛି । ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ଲୋକ ସମାଗମ ଓ ମାହୋଲରୁ ଲୋକେ ମୁକ୍ତିର ଆନନ୍ଦ ଉଠାଇବାରେ ମସଗୁଲ ।